୧୫ କୋଟି ଟଙ୍କ‌ାର ଡ୍ରଗ୍ସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କଲା ଆସାମ ପୁଲିସ୍‌

ଗୌହ୍ବାଟୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବେନିୟମ୍‌ ଡ୍ରଗ୍ସ କାରବାର ବିରୋଧରେ କଡ଼ା ନଜର ରହିଥିବା ବ‌େଳେ ଆସାମ ପୁଲିସ୍‌ ରବିବାର ଚାରିଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ପ୍ରାୟ ୧୫ କୋଟି ଟଙ୍କାରୁ ଊର୍ଧ୍ବ ଟଙ୍କାର ହେରୋଇନ ଜବତ ହୋଇଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସବ୍-ଇନ୍ସପେକ୍ଟର ମନୁଜଲ ଗୋଗୋଇଙ୍କ ନେତୃତ୍ୱରେ ଡ୍ରଗ୍ସ ଯାଉଥିବା ଏକ ଟ୍ରକ୍‌କୁ ରାସ୍ତା ମଝିରେ ଅଟକା ଯାଇଥିଲା। ଆଙ୍ଗ୍ଲୋଙ୍ଗ ଜିଲ୍ଲାରୁ ଟ୍ରକ୍‌ଟିକୁ ଅଟକାଇବା ପରେ ସେଥିରୁ ୬ଟି ପ୍ୟାକେଟ୍‌ରୁ ପ୍ରାୟ ୩.୪୫ କିଲୋ ହେ‌ରୋଇନ୍‌ ଜବତ କରାଯାଇଥିଲା।

ଡ୍ରଗ୍ସ ବିକ୍ରୟ କରୁଥିବା ଦୁଇ ଜଣ ବ୍ୟକ୍ତି ମଣିପୁରର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କୁ ନାର୍କୋଟିକ୍ସ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବ୍‌ଷ୍ଟାନ୍ସ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି।

ପୁଲିସ୍‌ ଅନ୍ୟ ଏକ ଘଟଣା‌ରେ ଚଢ଼ଉ କରି ମଧ୍ୟ ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଥିବା ଜାଣିବାକୁ ମିଳିଛି। ଭାରତୀୟ ଦଣ୍ଡ ସଂହିତା ଏବଂ ଏନଡିପିଏସ୍ ଅଧିନିୟମ ଅନୁଯାୟୀ ଏହି ମାମଲାରେ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି।

ସେପ୍ଟେମ୍ବର ୨୭ରେ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ୨୫ କୋଟି ଟଙ୍କା ମୂଲ୍ୟର ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଥିଲା। ସୁରକ୍ଷା ବାହିନୀ ଏବଂ ଗୁପ୍ତଚର ଅଧିକାରୀଙ୍କ କହିବାନୁଯାୟୀ ଏହି ସମସ୍ତ ଡ୍ରଗ୍ସ ମିଆଁମାରରୁ ଚୋରା ଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର