ସିବଲଙ୍କ ନୈଶ୍ୟ ଭୋଜିରେ ଏକାଠି ହେଲେ ବିରୋଧୀ, କଂଗ୍ରେସ ଦଳକୁ କ୍ରିୟାଶୀଳ କରିବା ନେଇ ଆଲୋଚନା

ଗାନ୍ଧି ପରିବାରରୁ କେହି ଉପସ୍ଥିତ ନଥିଲେ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଗତକାଲି ଜନ୍ମଦିନ ଅବସରରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନ‌ରେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିରୋଧୀ ଦଳର ପ୍ରମୁଖ ନେତା ଉପସ୍ଥିତ ଥିଲେ। ଏନ୍‌ସିପିର ଶରଦ ପାୱାର, ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଶିବସେନାର ସଂଜୟ ରାଉତ, ଟିଏମ୍‌ସିର ଡେରେକ୍‌ ଓବ୍ରାଏନ୍‌, ଏନ୍‌ସି ନେତା ଓମାର ଅବଦୁଲ୍ଲା, ଅକାଳି ଦଳର ନରେଶ ଗୁଜରାଲ, ବିଜେଡିର ପିନାକୀ ମିଶ୍ର, ସିପିଏମ୍‌ ନେତା ସୀତାରାମ ୟେଚୁରୀ, ଡିଏମ୍‌କେର ତିରୁଚି ଶିବ ପ୍ରମୁଖ ଉପସ୍ଥିତ ଥିବା ଜଣାପଡ଼ିଛି। ସୋନିଆଙ୍କୁ ଅତୀତରେ ଦଳର ପୁନର୍ଗଠନ ପାଇଁ ଚିଠି ଲେଖି ଜି-୨୩ ଗ୍ରୁପ୍‌ ଭାବେ ପରିଚିତ ନେତାଙ୍କ ମଧ୍ୟରୁ ୨୦ ଜଣ ନେତା ଏଥିରେ ଯୋଗ ଦେଇଥିଲେ। କଂଗ୍ରେସର ଶଶୀ ଥରୁର୍‌, ପି ଚିଦମ୍ବରମ, ଗୁଲାମ ନବୀ ଆଜାଦ, ମନିଷ ତିୱାରୀ, ଆନନ୍ଦ ଶର୍ମା ମଧ୍ୟ ଗତକାଲିର ନୈଶ୍ୟ ଭୋଜିରେ ଯୋଗ ଦେଇଥିଲେ।

ତେବେ ଗାନ୍ଧି ପରିବାରରୁ କେହି ଜଣେ ହେଲେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିବାରୁ ରାଜନୈତିକ ବିଶ୍ଳେଷକମାନେ ପ୍ରଶ୍ନ ଉଠାଇଛନ୍ତି। ଯଦିଓ ଏହି ନୈଶ୍ୟ ଭୋଜି ସମ୍ପୂର୍ଣ୍ଣ ଭାବେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ତଥାପି ରାଜନୈତିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀମାନେ କିଭଳି ପ୍ରସ୍ତୁତ ହେବେ ସେନେଇ ଗତକାଲିର କାର୍ଯ୍ୟକ୍ରମରେ ଏକ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏଥିସହ କଂଗ୍ରେସ ଦଳରେ ପରିବର୍ତ୍ତନ ସହିତ ଦଳକୁ ଅଧିକ କ୍ରିୟାଶୀଳ କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଗତକାଲିର କାର୍ଯ୍ୟକ୍ରମରେ ସିବଲ୍‌ ସରକାରଙ୍କ ଉପରେ ଭୀଷଣ ବର୍ଷିଥିବା ଜଣାପଡ଼ିଛି। ବର୍ତ୍ତମାନ ସରକାର ଅଧୀନରେ ସବୁ ଅନୁଷ୍ଠାନ ଗୁଡ଼ିକ ନଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି। ତେବେ ଏକ ସ୍ପଷ୍ଟ ଲକ୍ଷ୍ୟ ରଖି ବିରୋଧୀମାନେ ଆଗକୁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଅକାଳୀ ଦଳର ନରେଶ ଗୁଜରାଲ ଗାନ୍ଧି ପରିବାର ଉପରେ ସିଧାସଳଖ ଆକ୍ରମଣ କରିଥିଲେ। ସେ କହିଥିଲେ କଂଗ୍ରେସ ଗାନ୍ଧି ପରିବାର କବଳରୁ ମୁକ୍ତ ନହେବା ପର୍ଯ୍ୟନ୍ତ ଦଳକୁ ସୁଦୃଢ଼ କରିବା ଖୁବ୍‌ କଷ୍ଟଦାୟକ ହେବ। ଲାଲୁ ଯାଦବ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ଦଳ ଏକାଠି କାମ କରିବାପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର