ଆନ୍ଧ୍ର ଗସ୍ତରେ କେବେ ଯିବ ସର୍ବଦଳୀୟ କମିଟି ?

କୋରାପୁଟ: କେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟିବେ କୋରାପୁଟର ସର୍ବଦଳୀୟ ନେତା। ଆନ୍ଧ୍ରର ତ୍ରିସ୍ତରୀୟ ନିର୍ବାଚନ କରିବା ପୂର୍ବରୁ କୋରାପୁଟରେ ବସିଥିବା ବୈଠକରେ ଏହା ନିଷ୍ପତ୍ତି ହୋଇଥିବାବେଳେ ଚେଇଁ ଶୋଇଛନ୍ତି କୋରାପୁଟ ଜିଲ୍ଲାର ନେତାଏ। ଘଟଣାକୁ ୬ ମାସ ବିତିଥିବାବେଳେ ଦିନକୁ ଦିନ ଆନ୍ଧ୍ରର ଦାଦାଗିରି ବୃଦ୍ଧି ପାଇବାରେ ଲାଗିଛି।

ଆନ୍ଧ୍ର ପ୍ରଦେଶକୁ ଭେଟିବାର ଯୋଜନା ରହିଛି ବୋଲି କହିବାକୁ ୬ ମାସେ ବିତିଥିବାବେଳେ କାହିଁକି ଏବେ ଯାଏଁ ପଦକ୍ଷେପ ନିଆଯାଉନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ତେବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ କରାଇବା ବେଳେ ବେଶ ଦମ୍ ଦେଖାଇଥିଲେ କୋରାପୁଟ ଜିଲ୍ଲାର ରାଜନେତା। ଉପନିବେଶବାଦରେ ବିଶ୍ବାସ ରଖୁଥିବା ଆନ୍ଧ୍ରକୁ କଡା ଜବାବ ଦେବାକୁ ବିରୋଧ ପ୍ରଦର୍ଶନ କରିଥିଲେ। ସୀମାବିବାଦ ନେଇ ଓଡ଼ିଶା‌ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟିବାକୁ ସେତେବେଳେ ଯୋଜନା କରିଥିଲେ। ହେଲେ ଘଟଣାକୁ ୬ ମାସ ବିତିଥିବାବେଳେ କୋରାପୁଟ ଜିଲ୍ଲାର କଂଗ୍ରେସ, ବିଜେଡି ଓ ବିଜେପି ନେତାଏ ଏହାକୁ ଭୁଲି ଯାଇଛନ୍ତି। ଦିନକୁ ଦିନ ଆନ୍ଧ୍ରର ଉପଦ୍ରବ ବୃଦ୍ଧି ପାଉଥିବାବେଳେ ସେଠାକାର ସବୁଦଳର ରାଜନେତା ଏକାଠି ହୋଇ କୋଟିଆ ହାତେଇବାକୁ ପ୍ରୟାସ ଆରମ୍ଭ କରିଦ‌େଲେଣି।

୧୫ ତାରିଖ ମଧ୍ୟରେ କୋଟିଆର ୨୨ଟି ଗାଁରେ ତେଲଗୁ ଫଳକ ମାରିବାକୁ ପିଓ ଆଇଟିଡିଏଙ୍କୁ ଦାବିପତ୍ର ଦେଇଥିଲେ। ଏହାସହ ଲୋକସଭା ଦଳ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯିବାକୁ ଯୋଜନା ହୋଇଛି। ତେବେ କେବେ କୋରାପୁଟ ଜିଲ୍ଲାର ରାଜନେତା ସେଠାକୁ ଯାଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। କୋଟିଆ ନିର୍ବାଚନ ନେଇ ଆନ୍ଧ୍ର ବିରୁଦ୍ଧରେ ଏକାଠି ହୋଇଥିଲେ କୋରାପୁଟର ବିଜେଡି, ବିଜେପି ଓ କଂଗ୍ରେସ। କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଈଶ୍ଵର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ୍, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟ୍ଟ।ଙ୍ଗି ବିଧାୟକ ପ୍ରିତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜ।ନୀ, ପୁର୍ବତନ ସାଂସଦ ଜୟର।ମ ପାଙ୍ଗି, ମୁନା ରଥ, ରମା ରାଉଳ ସମେତ ଶତାଧିକ ବିଜେଡ଼ି, ବିଜେପି ଓ କଂଗ୍ରେସ କର୍ମୀ ରଣହୁଙ୍କାର ଦେଇଥିଲେ। କୋଟିଆରେ ଡେରା ପକାଇ ରାତ୍ର ଯାପନ କରିବା ସହ ବିବାଦୀୟ ଅଂଚଳର ଲୋକ ମାନଙ୍କୁ ଭୋଟ ନଦେବାକୁ ଅନୁରୋଧ କରିଥିଲେ। ସେହି ସମୟରେ ଏହାର ପ୍ରଭାବ ଲୋକ ମାନଙ୍କ ଉପରେ ପଡିଥିଲା।

ନେରେଡିବାଲସାରେ ୧୨୯୧ ଭୋଟର ଥିବାବେଳେ ମାତ୍ର ୨୨୩ଜଣ ଭୋଟ ଦେବାକୁ ଯାଇଥିଲେ। ଭୋଟର ହାର ମାତ୍ର ୧୭ ଶତକଡା ଥିଲା। ମାତ୍ର ଓଡିଶାର ଗତ ଉପନିର୍ବାଚନରେ ୬୯ ଶତକଡା ମତଦାନ ହୋଇଥିଲା। ଏଥିରୁ ଅନୁମାନ କରିହୁଏ ଯେ କୋଟିଆରେ ଆନ୍ଧ୍ରର ଚାରା ଫସର ଫାଟିଲା। ଆନ୍ଧ୍ରର ଏକ ଆଦିବାସୀ ସମ୍ପ୍ରଦାୟକୁ ଆନ୍ଧ୍ର ଆଦିବାସୀ ମାନ୍ୟତା ଦେଇଥିବାବେଳେ ସେହିମାନେ କେବଳ ଆନ୍ଧ୍ର ନିର୍ବାଚନରେ ଭୋଟ ଦେଇଥିବା ଜଣାପଡିଛି। ଆନ୍ଧ୍ର ଦଲାଲ ମାନଙ୍କୁ ସାବାଡ ସହ କୋଟିଆରେ ଆଉ ଆନ୍ଧ୍ରର ଦାଦାଗିରି ଚଳିବ ନାହିଁ ବୋଲି ସର୍ବଦଳୀୟ ନେତା ମାନେ କହିଥିଲେ।

ଆନ୍ଧ୍ରର ଏହି ଅବାଧ ନିର୍ବାଚନ ଏବଂ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସର୍ବଦଳୀୟ ଟିମ୍ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବା ସହ ଏହି ଟିମ୍ ଆନ୍ଧ୍ରର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଳା ବିଜେଡ଼ି ସଭାପତି ଈଶ୍ଵର ପାଣିଗ୍ରାହୀ କହିଛନ୍ତି। ଏନେଇ ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟିବା ଯୋଜନା ନେଇ ଏକ ସର୍ବଦଳୀୟ ବୈଠକ ଖୁବଶୀଘ୍ର ବସିବ। କୋଭିଡ ଲାଗି ବୈଠକ ବସିପାରୁ ନ ଥିଲା। ପୁଣି ‌ଥରେ ସବୁ ନେତାଙ୍କ ସହ ଆଲୋଚନା ହେବ। ଏହାପରେ ଦିନ ଧାର୍ଯ୍ୟ କରାଯାଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏନେଇ ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ କହିଛନ୍ତି ଯେ, ସର୍ବଦଳୀୟ ବ‌ୈଠକର ଖୁବ୍‌ଶୀଘ୍ର କରାଯାଉ। ତୁରନ୍ତ ନିଷ୍ପତ୍ତି ନେବା ଦରକାର। ଘର ପୋଡିବା ପରେ କଣ ଜଳର ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ଏନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଏନେଇ ଆଲୋଚନା ଚାଲିଛି। ଖୁବଶୀଘ୍ର ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର