ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କର୍ମୀ ଆକ୍ରାନ୍ତ, ସିଲ୍‌ ହେଲା ହେଡ୍‌କ୍ବାର୍ଟର

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ହେବା ଏହା ପ୍ରଥମ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କରୋନା ସଂକ୍ରମିତ ହେବାପରେ ସେ କାମ କରୁଥିବା ମୁଖ୍ୟାଳୟ କୋଠା ତଥା ରାଜୀବ ଗାନ୍ଧୀ ଭବନକୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସିଲ୍‌ କରିଦିଆଯାଇଛି। ମୁଖ୍ୟାଳୟ କୋଠାକୁ ସଂକ୍ରମଣମୁକ୍ତ କରିବାପାଇଁ ଆସନ୍ତା ୩ ଦିନ ଯାଏଁ ଏହାକୁ ସିଲ୍‌ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ଟ୍ବିଟ୍‌ କରାଯାଇଛି। ମନ୍ତ୍ରାଳୟର ଜଣେ କର୍ମଚାରୀ ଏପ୍ରିଲ ୧୫ ତାରିଖରେ ଅଫିସ୍‌ ଆସିଥିଲେ ଏବଂ ୨୧ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଏହାପରେ ମନ୍ତ୍ରାଳୟ ପରିସରରେ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ ହୋଇଛି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ସେଲ୍‌ଫ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏସ୍‌ ଏସ ପୁରୀ କହିଛନ୍ତି, କରୋନାରେ ସଂକ୍ରମିତ ହୋଇଥିବା ଆମ କର୍ମଚାରୀଙ୍କ ସହ ଆମେ ରହିଛୁ। ସେମାନଙ୍କୁ ସମସ୍ତ ପ୍ରକାର ମେଡିକାଲ ସହଯୋଗ ପ୍ରଦାନ କରାଯିବ। ମୁଁ ତାଙ୍କର ଆରୋଗ୍ୟ କାମନା କରୁଛି ବୋଲି ପୁରୀ କହିଛନ୍ତି। ଉଲ୍ଲେ୍‌ଖଯୋଗ୍ୟ ଗତକାଲି ଲୋକସଭା ସଚିବାଳୟର ଜଣେ ଗୃହରକ୍ଷୀ ଏବଂ ରାଷ୍ଟ୍ରପତି ଭବନର ଜଣେ ସଫେଇ କର୍ମୀଙ୍କ ବୋହୂ କ‌‌‌ରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର