ଅଯୋଧ୍ୟା ମାମଲା: କୋର୍ଟରେ କ’ଣ ଯୁକ୍ତି ରଖିଥିଲେ ହିନ୍ଦୁ ଓ ମୁସଲମାନ ପକ୍ଷ

ନୂଆଦିଲ୍ଲୀ:  ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦୀୟ ଜମି ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ | ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି | ମନ୍ଦିର ତିଆରି ପାଇଁ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ମୁସଲମାନ ପକ୍ଷଙ୍କୁ ମସଜିଦ ନିର୍ମାଣ ଲାଗି  ଅନ୍ୟ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ | ତେବେ ନଜର ପକାନ୍ତୁ କୋର୍ଟରେ ହିନ୍ଦୁ ପକ୍ଷ ଓ ମୁସଲିମ ପକ୍ଷ କେଉଁ ସବୁ ଯୁକ୍ତି ଉପସ୍ଥାପନା କରିଥିଲେ |

Quint

ହିନ୍ଦୁ ପକ୍ଷ
ଭଗବାନ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା | ରାମ ଦେଶର ସାଂସ୍କୃତିକ ପୁରୁଷ | ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଯିଏ କି ବିଷ୍ଣୁଙ୍କ ୭ମ ଅବତାର ଥିଲେ ତାଙ୍କ ପ୍ରାଚୀନ ମନ୍ଦିରକୁ ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଥିଲା | ମନ୍ଦିରରେ ପୂଜା ପୌରାଣିକ ସମୟରୁ ଚାଲିଆସୁଛି | ଏହାର ପ୍ରମାଣ ପୁରୁଣା ବିଦେଶୀ ଆଲେଖ୍ୟରେ ଲେଖା ହୋଇ ରହିଛି | ପଦ୍ମ ପୁରାଣ ଓ ସ୍କନ୍ଦ ପୁରାଣରେ ବି ରାମ ଜନ୍ମସ୍ଥାନର ଉଲ୍ଲେଖ ରହିଛି | ୧୫୨୮ ମସିହାରେ ବାବରଙ୍କ ସେନାପତି ମୀର ବାକି ମନ୍ଦିର ଭାଙ୍ଗି ଜବରଦସ୍ତି ମସଜିଦ ନିର୍ମାଣ କରିଥିଲା ଯାହାର ପ୍ରମାଣ ରହିଛି | ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥାର ଖନନରୁ ମଧ୍ୟ ବିବାଦୀୟ  ସ୍ଥାନ ଭିତରେ ବିଶାଳ ମନ୍ଦିର ଥିବାର ପ୍ରମାଣ ମିଳିଥିଲା |
ମୁସଲିମ ପକ୍ଷ
ମସଜିଦ ତଳେ ରାମଙ୍କ ଜନ୍ମସ୍ଥାନ କଥା ସମ୍ପୂର୍ଣ୍ଣ ଆଧାରହୀନ | ରାମଙ୍କ ସଠିକ ଜନ୍ମସ୍ଥାନର କଥା ଜଣାନାହିଁ | ବାବର ୧୫୩୮ ମସିହାରେ ଯେଉଁ ମସଜିଦ ନିର୍ମାଣ କରାଇଥିଲେ ସେଥିପାଇଁ କୌଣସି ମନ୍ଦିରକୁ ଭଙ୍ଗାଯାଇ ନଥିଲା, ଖୋଲା ଜମିରେ ଏହାର ନିର୍ମାଣ କରାଯାଇଥିଲା | ଜମି ମାଲିକାନାର ଦସ୍ତାବିଜ ପ୍ରମାଣ ମୋଗଲ ସମୟରୁ ରହିଛି, ଯେତେବେଳେ ଜାହାଙ୍ଗୀର ମସଜିଦକୁ ଦେଖାଶୁଣା କରିବାକୁ ଦେଇଥିଲେ | ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥାର ଖନନରୁ ମିଳିଥିବା ପ୍ରମାଣ ମନ୍ଦିରର ନୁହେଁ ବରଂ ମସଜିଦର ହୋଇପାରେ | ଖନନ ସମୟରେ ଯାହା ମିଳିଛି ତାହା ମୂର୍ତ୍ତି ନୁହେଁ ଖେଳନା ହୋଇପାରେ | ମାଲିକାନାର ହକ ପ୍ରଥମରୁ ମୁସଲମାନ ପାଖରେ ଥିଲା, ହିନ୍ଦୁମାନଙ୍କୁ କେବଳ ରାମ ଚବୁତରେରେ ପୂଜା କରିବାକୁ ଅନୁମତି ଥିଲା |

ସମ୍ବନ୍ଧିତ ଖବର