ବାବା ବୀରେନ୍ଦ୍ରଙ୍କ ପାପ ସାମ୍ରାଜ୍ୟ

ରୋହିଣୀ ଆଶ୍ରମରୁ ୪୦ ନାବାଳିକା ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ରୋହିଣୀ ସ୍ଥିତ ଆଶ୍ରମ ‘ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ’ ଅସଲରେ ଭୟଙ୍କର ପାପ ସାମ୍ରାଜ୍ୟ ଥିଲା ବୋଲି ଜଣାପଡ଼ିଛି । ଆଶ୍ରମ ପରିସରରେ ଆଧ୍ୟାତ୍ମିକ ଶିକ୍ଷା ଦେବା ନାମରେ ନାବାଳିକାମାନଙ୍କୁ କାରାରୁଦ୍ଧ ଅବସ୍ଥାରେ ରଖି ଯୌନ ନିର୍ଯାତନା ଦେବା ଘଟଣାର ପର୍ଦ୍ଦାଫାସ ହେବାପରେ ଆଜି ଏହାର ପରିସରରୁ ୪୦ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଆଶ୍ରମ ମୁଖ୍ୟ ତଥା ଭଣ୍ଡ ବାବା ବୀରେନ୍ଦ୍ର ଦେବ ଦୀକ୍ଷିତ ଦୀର୍ଘ ବର୍ଷ ଧରି ଏକ ବଡ଼ ଧରଣର ସେକ୍ସ ର‍୍ୟାକେଟ ଚଳାଇ ଆସୁଥିଲେ ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ନାବାଳିକାମାନଙ୍କୁ ଯୌନକର୍ମୀ ଭାବେ ତାଲିମ ଦିଆଯାଉଥିବା ପ୍ରମାଣ ମିଳିଛି। ଫେରାର ରହିଥିବା ବୀରେନ୍ଦ୍ର ଦୀକ୍ଷିତଙ୍କୁ ଠାବ କରିବା ପାଇଁ ପୁଲିସ ଜୋର୍‌ସୋରରେ ଉଦ୍ୟମ ଆରମ୍ଭ କରିଛି । ଆଜି ଚଢ଼ଉ ବେଳେ ଆଶ୍ରମ ପରିସରରେ ଏକ ସୁଡ଼ଙ୍ଗ ଠାବ ହୋଇଥିଲା। ଡେରା ଆଶ୍ରମର ବାବା ରାମରହିମ ପରି ବାବା ବୀରେନ୍ଦ୍ର ମଧ୍ୟ ବିଶ୍ୱବିଦ୍ୟାଳୟରୁ ଆଶ୍ରମ ସ୍ଥିତ ତାଙ୍କ ପ୍ରକୋଷ୍ଠ ପର୍ଯ୍ୟନ୍ତଏକ ସୁଡ଼ଙ୍ଗ ନିର୍ମାଣ କରାଇଥିଲେ। ଚଢ଼ଉରେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ଏବଂ ଆହୁରି ୩ ଦିନ ପର୍ଯ୍ୟନ୍ତ ତଲାସି ଚାଲିବ ବୋଲି ଜଣାପଡ଼ିଛି । ଏଠାରେ ବନ୍ଦୀ ଥିବା ନାବାଳିକାଙ୍କ ମଧ୍ୟରୁ ୩ଜଣ ଦିଲ୍ଲୀ ପୁଲିସ୍‌ର ଅବସରପ୍ରାପ୍ତ ଇନ୍ସପେକ୍ଟରମାନଙ୍କ ଝିଅ ହୋଇଥିବା ବେଳେ ଯେଉଁ ନାବାଳିକା ବାବାଙ୍କ କାରନାମାର ପର୍ଦ୍ଦାଫାସ କରିଛି ସେ ଜଣେ ସିବିଆଇ ଇନ୍ସପେକ୍ଟରଙ୍କ ଭଉଣୀ ବୋଲି ଜଣାପଡ଼ିଛି । ଅନ୍ୟ ଜଣେ ହାବିଲଦାରଙ୍କ ଝିଅ ମଧ୍ୟ ଏଠାରେ ବନ୍ଦୀ ଥିଲା। ଏହି ପୁଲିସ କର୍ମଚାରୀମାନେ ମଧ୍ୟ ସମାନଙ୍କ ଝିଅଙ୍କୁ ବାବା ବୀରେନ୍ଦ୍ରଙ୍କଠାରୁ ମୁକ୍ତ କରିପାରୁନଥିଲେ।

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ମହିଳା କମିସନ, ଶିଶୁ ବିକାଶ କମିଟି ଏବଂ ଦିଲ୍ଲୀ ପୁଲିସ ଆଜି ରୋହିଣୀର ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ପରିସରରୁ ୪୦ ନାବାଳିକାଙ୍କୁୁ ଉଦ୍ଧାର କରିଛନ୍ତି। ସମସ୍ତ ନାବାଳିକା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଏବଂ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି । ଉକ୍ତ ଆଶ୍ରମ ସଂକ୍ରାନ୍ତରେ ତଦନ୍ତ ପାଇଁ ଦିଲ୍ଲୀ ହାଇକୋର୍ଟ ଗଠନ କରିଥିବା ପ୍ୟାନେଲ ଜାଣିପାରିଛନ୍ତି ଯେ ବାବାଙ୍କର ସମୁଦାୟ ୮ଟି ଆଶ୍ରମ ରହିଛି। ଆଶ୍ରମ ବିରୋଧରେ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ତଦନ୍ତକାରୀପ୍ୟାନେଲ ଦର୍ଶାଇଛନ୍ତି ଯେ ଆଶ୍ରମରେ ଝିଅମାନଙ୍କୁ ପଶତୁଲ୍ୟ ରଖାଯାଇଥିଲା। ଉଦ୍ଧାର ହୋଇଥିବା ଝିଅମାନଙ୍କ ମଧ୍ୟରୁ ଜଣେ ୧୩ ବର୍ଷୀୟା ନାବାଳିକା ବାବାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା କହିଛି। ବାବାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ସଂଗଠନ ଦାବି କରିଥିବା ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ୱାତୀ ମାଲିଓ୍ଵାଲ୍‌ ଗଣମାଧ୍ୟମକୁ କହିଛନ୍ତି। ତେବେ ଯେଉଁ ଅଞ୍ଚଳରେ ଆଶ୍ରମ ରହିଛି ସେଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଉକ୍ତ ଆଶ୍ରମରେ ନାବାଳିକାମାନଙ୍କୁ ଯୌନକର୍ମୀ ଭାବେ କାର୍ଯ୍ୟ କରିବା ଲାଗି ତାଲିମ ଦିଆଯାଉଥିଲା। ଥରେ ଏହି ଆଶ୍ରମକୁ ଯେଉଁ ଝିଅ ଆସିଛି ପରବର୍ତ୍ତୀ ସମୟରେ ତା’କୁ ବାପା-ମା’ଙ୍କ ସହ ମଧ୍ୟ ଭେଟ କରିବାକୁ ଦିଆଯାଇ ନଥାଏ ବୋଲି ସେମାନେ କହିଛନ୍ତି। ବିଗତ ୧୫ ବର୍ଷ ମଧ୍ୟରେ ଆଶ୍ରମ ବିରୋଧରେ ପୁଲିସରେ ଅନେକ ଅଭିଯୋଗ ରହିଥିଲେ ବି ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ବୋଲି ଜଣାପଡ଼ିଛି । ପୁଲିସ ଉକ୍ତ ଆଶ୍ରମର ଛାନ୍‌ଭିନ୍‌ କରିବା ସମୟରେ ଅନେକ ଆପତ୍ତିଜନକ ପଦାର୍ଥ, କଣ୍ଡୋମ୍‌ ଓ ଗର୍ଭ ନିରୋଧକ ଔଷଧ ଆଦି ଜବତ କରିଛି।

ଏହି ବିଶାଳ ଆଶ୍ରମ ମଧ୍ୟରେ ୨୨ଟି କୋଠରୀ ରହିଛି ଏବଂ ଏଥିରୁ ୧୩ଟିରେ ନାବାଳିକାଙ୍କୁ ବନ୍ଦୀ କରି ରଖାଯଇଥିଲା। ସ୍ୱାତୀ ମାଲିଓ୍ଵାଲଙ୍କ କହିବା ମୁତାବକ ଆଶ୍ରମ ପରିସରରେ କେବଳ ନାବାଳିକା ନଥିଲେ ଏଠାରେ ଅନେକ ମହିଳା ମଧ୍ୟ ରହୁଥିଲେ। କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ ମୋଟ ୧୬୨ ଜଣ ମହିଳା ଓ ଯୁବତୀଙ୍କୁ ସେଠାରେ ବନ୍ଦୀ କରାଯାଇଥିବା ନେଇ ଜଣାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଜଣାପଡ଼ିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଦିଲ୍ଲୀ, ପଞ୍ଜାବ, ୟୁପି, ହରିୟାଣା ଓ ରାଜସ୍ଥାନ ସମେତ ନେପାଳରେ ମଧ୍ୟ ବାବା ବୀରେନ୍ଦ୍ରଙ୍କ ଆଶ୍ରମ ଚାଲିଛି । ରାଜସ୍ଥାନରେ ଏହି ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର