ନୂଆଦିଲ୍ଲୀ: ଓଡ଼ିଶା- ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗିରହିଥିବା ବଂଶଧାରା ଜଳବିବାଦ ମାମଲାର ଶୁଣାଣି କରୋନା ମହାମାରୀ ଯୋଗୁଁ ଅଟକିଛି। ସୁପ୍ରିମକୋର୍ଟ ଓ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲରେ ଏହି ମାମଲାର ଶୁଣାଣି ଚାଲିଛି। କରୋନା ‌ଯୋଗୁ ଭିଡିଓ କନ୍‌ଫେରେନ୍ସି ଜରିଆରେ ଏହି ମାମଲାର ଶୁଣାଣି ହେବା ଆଶା କ୍ଷୀଣ। ସ୍ଥିତି ସ୍ବାଭାବିକ ହେବାପରେ ଫିଜିକାଲ ଶୁଣାଣି ଜରିଆରେ କରାଯିବ ବୋଲି ଉଭୟ ରାଜ୍ୟର ଆଇନଜୀବୀମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ, ୨୦୧୦ରୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକ୍ରମ ଚଳିତ ବର୍ଷ ଡିସେମ୍ବର ୧୦ରେ ଶେଷ ହେବାକୁ ଯାଉଥିବାବେଳେ ଏହି ବିବାଦର ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ଟ୍ରିବ୍ୟୁନାଲର ସେପ୍ଟମ୍ବର ୧୩,୨୦୧୭ର ଚୂଡ଼ାନ୍ତ ରାୟକୁ ଚାଲେଞ୍ଜ କରି ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ସ୍ବତନ୍ତ୍ର ଲିଭ୍ ପିଟିସନର ଚୂଡ଼ାନ୍ତ ସ୍ପଷ୍ଟୀକରଣ ଲୋଡ଼ାଯାଇଥିବା ସମ୍ପର୍କିତ ଓଡ଼ିଶାର ଆବେଦନ ମଧ୍ୟ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଅପରପକ୍ଷେ ବଂଶଧାରା ନଦୀ ନେରେଡ଼ି ପ୍ରକଳ୍ପ ଅଞ୍ଚଳର ମିଳିତ ଅନୁଧ୍ୟାନ ପାଇଁ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସହଯୋଗ କରିବା ପାଇଁ ବଂଶଧାରା ଟ୍ରିବ୍ୟୁନାଲଙ୍କ ଦ୍ବାରା କେନ୍ଦ୍ରୀୟ ଜଳଆୟୋଗକୁ ନିର୍ଦ୍ଦେଶ ଜାରି କରିଥିଲା। ଏହାରି ଉପରେ ଓଡ଼ିଶା ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଥିଲା। ଓଡ଼ିଶାର ଯୁକ୍ତି ହେଉଛି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶନାମା ଦ୍ବାରା ଓଡ଼ିଶାର ସ୍ବାର୍ଥ ଗୁରୁତରଭାବେ କ୍ଷତିଗ୍ରସ୍ତ ହେଉଛି ।

Advertisment

ଓଡ଼ିଶା ପକ୍ଷରୁ ଏହି ମାମଲାରେ ଯୁକ୍ତି ବାଢ଼ିବା ପାଇଁ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ ନିୟୋଜିତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ନେରେଡ଼ି ପ୍ରକଳ୍ପର ୧୦୬ ଏକର ବୁଡ଼ି ଅଞ୍ଚଳର ତଥ୍ୟ ଆନ୍ଧ୍ରପ୍ରଦେଶର ସରକାର ବର୍ତ୍ତମାନ ସୁଦ୍ଧା ଦେଇନଥିବାର ଓଡ଼ିଶାର ଅଭିଯୋଗ ରହିଛି।

ଉଲ୍ଲେଖଯୋଗ୍ୟ, ବଂଶଧାରା ନଦୀ ପ୍ରାୟ ୮୨ କିଲୋମିଟର ଆନ୍ଧ୍ରରେ ପ୍ରଭାବିତ ହେଉଥିବା ବେଳେ ଓଡ଼ିଶାରେ ୧୫୪ କିଲୋମିଟର ପର୍ଯ୍ୟନ୍ତ ପ୍ରଭାବିତ ହେଉଛି। ମୋଟ ୨୬୫ କିଲୋମିଟର ଦୀର୍ଘ ବଂଶଧାରା ନଦୀର ପାଣିକୁ ଉଭୟ ଓଡ଼ିଶା ଓ ଆନ୍ଧ୍ର ମିଳିତ ଭାବରେ ବ୍ୟବହାର କରୁଛନ୍ତି।୧୯୬୨ ମସିହାରେ ଆନ୍ତଃରାଜ୍ୟ ନଦୀ ଜଳ ବଣ୍ଟନ ବ୍ୟବସ୍ଥାରେ ଦୁଇ ରାଜ୍ୟ ଏଥିପାଇଁ ଚୁକ୍ତିବଦ୍ଧ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଶାକୁ ନଜଣାଇ ଆନ୍ଧ୍ରପ୍ରଦେଶ ନେରେଡ଼ି ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଦେଇଥିଲା। କିନ୍ତୁ ଓଡ଼ିଶା ଏଭଳି ବେଆଇନ ନିର୍ମାଣକୁ ବିରୋଧ କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ଆନ୍ଧ୍ରର ନେରେଡ଼ି ପ୍ରକଳ୍ପ ଦ୍ବାରା ଓଡ଼ିଶାର ସୀମାନ୍ତବର୍ତ୍ତୀ ଗ୍ରାମ ପ୍ରଭାବିତ ହେବା ସହିତ କୃତିମ ବନ୍ୟା ସୃଷ୍ଟି ହେବା ଆଶଙ୍କା କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ସରକାରଙ୍କ ଆବେଦନକୁ ଗ୍ରହଣ କରି ୨୦୧୦ ଫେବ୍ରୁଆରୀ ୧୪ରେ ଏନେଇ ବଂଶଧାରା ଟ୍ରିବ୍ୟୁନାଲ ଗଠନ କରିଥିଲେ। ୨୦୧୨ ମସିହାରୁ ଟ୍ରିବ୍ୟୁନାଲ ଏହି ମାମଲାର ନିୟମିତ ଶୁଣାଣି କରୁଥିଲେ। ଟ୍ରିବ୍ୟୁନାଲ ୨୦୧୩ରେ କେନାଲ ନିର୍ମାଣ ପାଇଁ ମଧ୍ୟବର୍ତୀକାଳୀନ ସର୍ତ୍ତମୂଳକ ଅନୁମତି ଦେଇଥିଲେ। ଏହାପରେ ସେପ୍ଟମ୍ବର ୨୦୧୭ରେ ଟ୍ରିବ୍ୟୁନାଲ ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ଦ୍ବାରା ନିର୍ମାଣଧିନ କାଟ୍ରାଗଡ଼ା ଏହଂ ନେରେଡ଼ି ବ୍ୟାରେଜର କାର୍ଯ୍ୟ ଚାଲୁ ରଖିବାକୁ ରାୟ ଶୁଣାଇଥିଲେ। ଏହି ରାୟ ଆନ୍ଧ୍ରପ୍ରଦେଶ ସପକ୍ଷରେ ଯାଇଥିବାରୁ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଥିଲା। ରାୟକୁ ଚାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଓଡ଼ିଶା ଏସଏଲପି ଦାଖଲ କରିଥିଲା। ଇତିମଧ୍ୟରେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଡିସେମ୍ବର ୧୦ରେ ଶେଷ ହେବାକୁ ଯାଉଛି। କାର୍ଯ୍ୟକାଳ ଅବଧି ପୂର୍ବରୁ ସୁପ୍ରିମକୋର୍ଟରେ ଓ ଟ୍ରିବ୍ୟୁନାଲରେ ଯଦି ମାମଲା ବିଚାରାଧୀନ ରହେ, ତା’ହେଲେ ଆଉ ବର୍ଷେ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ସମ୍ପ୍ରସାରଣ କରାଯିବ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।