ଗୋବି ମରୁଭୂମିରେ ୧୦୦ରୁ ଅଧିକ ମିସାଇଲ୍ ରଖିବା ପାଇଁ ବିରାଟକାୟ ଭଣ୍ଡାରଘର ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସୈନ୍ୟବାହିନୀ ସହ ଭାରତୀୟ ସେନାର ସଂଘର୍ଷ ହେବାର ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରି ପାରିନାହିଁ | ସୈନ୍ୟ ଅପସାରଣ ପାଇଁ ଅନେକ ଥର କମାଣ୍ଡରସ୍ଥରୀୟ ବୈଠକ ବସି ସାରିଥିଲେ ମଧ୍ୟ ଏବେ ବେଜିଂ ଆଣବିକ ଅସ୍ତ୍ରଶସ୍ତ୍ରକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି | ଉତ୍ତର-ପଶ୍ଚିମ ସହର ୟୁମେନ ନିକଟ ମରୁଭୂମିରେ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ (ଆଇସିବିଏମ୍) ରଖିବା ପାଇଁ ଚୀନ୍ ୧୦୦ରୁ ଅଧିକ ବିରାଟକାୟ ଭଣ୍ଡାରଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଜଣାଯାଇଛି।

ଏହି ନିର୍ମାଣ ବେଜିଂର ଆଣବିକ କ୍ଷମତାର ଏକ ବୃହତ ବିସ୍ତାରର ସଙ୍କେତ ଦେଇଛି, ଯାହାର କି ପୂର୍ବରୁ ୨୫୦ ରୁ ୩୫୦ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି। ଗୋବି ମରୁଭୂମି କୂଳରେ ୟୁମେନର ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦୁର୍ଗମ ଅଞ୍ଚଳରେ ୧୦୦ରୁ ଅଧିକ ବିରାଟକାୟ ଭଣ୍ଡାରଘର ନିର୍ମାଣ କରାଯାଇଥିବା ନେଇ ନୂତନ ବାଣିଜ୍ୟିକ ଉପଗ୍ରହ ଉଠାଇଥିବା ଫଟୋରୁ ଜଣାପଡ଼ିଛି | ୱାଶିଂଟନ୍ ପୋଷ୍ଟ ଦ୍ୱାରା ପ୍ରକାଶ ପାଇଥିବା ଫଟୋରେ ଖନନ, ଲମ୍ବା ଖାଲ ଏବଂ ଭୂପୃଷ୍ଠ କକ୍ଷ ଦେଖିବାକୁ ମିଳିଛି | ଏହି ଫଟୋ ସାମ୍ନାକୁ ଆସିବା ପରେ ଭାରତୀୟ ସେନା ଏବେ ଅଧିକ ସତର୍କ ହେବା ସହ ଚୀନ ସେନାର ଗତିବିଧି ଉପରେ ନଜର ରଖିଛନ୍ତି |

ସମ୍ବନ୍ଧିତ ଖବର