ଭାରତ ବନ୍ଦର ପ୍ରଥମ ଦିନରେ ପଶ୍ଚିମବଙ୍ଗରେ ରେଳପଥ ଅବରୋଧ; କେରଳରେ ରାସ୍ତାଘାଟ ଜନଶୂନ୍ୟ

ନୂଆଦିଲ୍ଲୀ: ‘ସେଣ୍ଟ୍ରାଲ୍‌ ଟ୍ରେଡ୍‌ ୟୁନିୟନ୍’ର ୨ଦିନିଆ ଦେଶବ୍ୟାପୀ ଧର୍ମଘଟର ଆଜି ପ୍ରଥମ ଦିନରେ ଭାରତ ବିଭିନ୍ନ ପ୍ରାନ୍ତରେ ଏପର୍ଯ୍ୟନ୍ତ ମିଶ୍ରିତ ପ୍ରଭାବ ଅନୁଭୂତ ହେଉଥିବା ରିପୋର୍ଟ ଆସୁଛି।

ବନ୍ଦକୁ ସମର୍ଥନ କରି ପଶ୍ଚିମବଙ୍ଗର ହାୱଡ଼ାରେ କେତେକ କଳକାରଖାନା ନିକଟରେ ବାମପନ୍ଥୀ ସଂଗଠନଗୁଡ଼ିକର କର୍ମୀମାନେ ସ୍ଲୋଗାନ୍‌ ଦେବା ସହ ପତାକା ହଲାଉଛନ୍ତି। କିନ୍ତୁ, ସଡ଼କ ପଥରେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି। ପାରିପାର୍ଶ୍ବିକ ପରିସ୍ଥିତି ଏଭଳି ଅଛି ଯେ, ଆଜି ଭାରତ ବନ୍ଦ ବୋଲି ଅନେକ ସାଧାରଣ ଜନତା ଅନୁଭବ କରିପାରୁନାହାନ୍ତି।

ହାଓଡ଼ାରେ ଟ୍ୟାକ୍ସି ସଂଖ୍ୟା କମ୍‌ ଥିବାରୁ ଯାତ୍ରୀମାନେ ସାମାନ୍ୟ ହଇରାଣ ହେଉଛନ୍ତି। ସେହିପରି, ଅଫିସ୍‌ରେ ସ୍ବାଭାବିକ ସମୟରେ ପହଞ୍ଚିବା ଲାଗି ପଶ୍ଚିମବଙ୍ଗ ସରକାର ସମସ୍ତ ସରକାରୀ କର୍ମଚାରୀମାନଙ୍କୁ କହିଛନ୍ତି।

ଏହାଛଡ଼ା, ୨ଦିନିଆ ଦେଶବ୍ୟାପୀ ଧର୍ମଘଟ ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ‘ସିପିଆଇ(ଏମ୍) ସାଂସଦ ବିକାଶରଞ୍ଜନ ଭଟ୍ଟାଚାର୍ଯ୍ୟ ଧାରା ୨୬୭ ଅନୁସାରେ ରାଜ୍ୟସଭାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରିବା ଲାଗି ପ୍ରସ୍ତାବ ଆଗତ କରିଛନ୍ତି।

Image Courtesy of ANI

ତିନୋଟି ରାଷ୍ଟ୍ରାୟତ ବିଜୁଳି ଶକ୍ତି କମ୍ପାନିର କର୍ମଚାରୀମାନଙ୍କୁ ଧର୍ମଘଟରେ ସାମିଲ ହେବାରୁ ବିରତ କରିବା ନିମନ୍ତେ ମହାରାଷ୍ଟ୍ର ସରକାର ରବିବାର ଦିନ ‘ମହାରାଷ୍ଟ୍ର ଏସେନ୍‌ସିଆଲ୍‌ ସର୍ଭିସେସ୍‌ ମେଣ୍ଟେନାନ୍‌ସ୍‌ ଆକ୍ଟ’ (ଏମ୍‌ଇଏସ୍‌ଏମ୍‌ଏ) ଜାରି କରିଛନ୍ତି।

ଭାରତ ବନ୍ଦ ଯୋଗୁଁ ତାମିଲନାଡୁର ଚେନ୍ନାଇରେ ସାଧାରଣ ପରିବହନ ବାଧା ପାଇଛି। ସଡ଼କରେ ମାତ୍ର ୨୦% ବସ୍‌ ଚଳାଚଳ କରୁଛି। ତାମିଲନାଡୁରେ ‘ଡିଏମ୍‌କେ’ର ‘ଏଲ୍‌ପିଏଫ୍‌’ ମଧ୍ୟ ‘ସିଆଇଟିୟୁ’, ‘ଏଆଇଟିୟୁସି’, ‘ଆଇଏମ୍‌ଟିୟୁସି’, ‘ଟିୟୁସିସି’, ‘ଏସ୍‌ଇଡବ୍ଲୁଏ’, ‘ଏଆଇସିସିଟିୟୁ’ ଏବଂ ‘ୟୁଟିୟୁସି’ ସହିତ ଭାରତ ବନ୍ଦକୁ ସମର୍ଥନ କରୁଛି।

ପ୍ରଥମ ଦିନ ଧର୍ମଘଟରେ କେରଳର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। କେତେକ ସ୍ଥାନରେ ଘରୋଇ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି।

ଏହା ବ୍ୟତିରେକେ, ଜାତୀୟ ରାଜଧାନୀ ଦିଲ୍ଲୀରେ ‘ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌’ ସବୁ ବନ୍ଦ ରହିଛି।

ସମ୍ବନ୍ଧିତ ଖବର