ଭୁଟାନ ଅର୍ଥନୀତି ଭୁଶୁଡ଼ିବ! ବିଦେଶୀ ମୁଦ୍ରାଭଣ୍ଡାର ଖାଲି, ଗାଡ଼ି ଆମଦାନି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ : ଶ୍ରୀଲଙ୍କା ଏବଂ ପାକିସ୍ତାନ ପରେ ଏବେ ଭାରତର ଅନ୍ୟ ଏକ ପଡ଼ୋଶୀ ଦେଶ ଭୁଟାନର ଆର୍ଥିକ ସ୍ଥିତି ଅତି ଜଟିଳ ହୋଇଯାଇଛି। ବିଦେଶୀ ମୁଦ୍ରା ପରିମାଣ ଅତି ନିମ୍ନସ୍ତରକୁ ଖସିଯାଇଛି। ଫଳରେ ଭୁଟାନ ସରକାର ୟୁଟିଲିଟି ଯାନ, ହେଭି ଆର୍ଥମୁଭିଂ ମେସିନ ଏବଂ କୃଷି ଯନ୍ତ୍ରପାତିକୁ ଛାଡ଼ିଦେଲେ ଅନ୍ୟ ସବୁପ୍ରକାର ଗାଡ଼ି ଆମଦାନିକୁ ନିଷିଦ୍ଧ କରିଛନ୍ତି।

ଭାରତ ଏବଂ ଚୀନ ମଝିରେ ଥିବା ଏହି ଦେଶର ମୋଟ ଲୋକସଂଖ୍ୟା ପ୍ରାୟ ୮ ଲକ୍ଷ। ତେବେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଏବଂ ଖାଦ୍ୟସାମଗ୍ରୀର ଦରବୃଦ୍ଧି ପାଇଛି। ଏଥିସହିତ ଶୂନ୍ୟ କୋଭିଡ ନୀତି ଆପଣାଇବାକୁ ଯାଇ ଗତ ଦୁଇବର୍ଷ ହେଲା ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଉପରେ ଏହି ଦେଶ କଟକଣା ଲଗାଇଛି। ଏଥିଯୋଗୁ ଦେଶକୁ ବିଦେଶୀ ମୁଦ୍ରା ଆସିବାରେ ଅସୁବିଧା ସୃଷ୍ଟି ହୋଇଛି। ଗତବର୍ଷ ଏପ୍ରିଲ ବେଳକୁ ଭୁଟାନର ବିଦେଶୀ ମୁଦ୍ରାଭଣ୍ଡାରରେ ୧.୪୬ ବିଲିଅନ ଆମେରିକୀୟ ଡଲାର ରହିଥିଲା। କିନ୍ତୁ ଡିସେମ୍ବର ବେଳକୁ ଏହା ୯୭୦ ନିୟୁତ ଆମେରିକୀୟ ଡଲାରକୁ କମିଯାଇଥିଲା। ଗତମାସରେ ରୟାଲ ମନିଟାରି ଅଥରିଟି ଅଫ ଭୁଟାନ ପକ୍ଷରୁ ପ୍ରକାଶିତ ରିପୋର୍ଟ‌ରୁ ଏହା ଜଣାପଡ଼ିଛି।

ଏହାକୁ ଦୃଷ୍ଟିରେ ରଖି ଦେଶର ଅର୍ଥ ମନ୍ତ୍ରାଳୟ ଗାଡ଼ି ଆମଦାନି ଉପରେ କଟକଣା ବିଜ୍ଞପ୍ତି ଜାରି କରିଛି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ୧.୫ ନିୟୁତ ଏନଗୁଲୁଟ୍ରମସ (୨୦୦୦୦ ଡଲାର)ରୁ କମ୍ ମୂଲ୍ୟର ୟୁଟିଲିଟି ଯାନକୁ ଆମଦାନି ପାଇଁ ଅନୁମତି ଦିଆଯିବ। ଏଥିସହିତ ପର୍ଯ୍ୟଟନର ପ୍ରସାର ପାଇଁ ବ୍ୟବହୃତ ହେବାକୁ ଥିବା ଗାଡ଼ିକୁ ମଧ୍ୟ କଟକଣାରୁ ମୁକ୍ତ ରଖାଯିବ।

ଭୁଟାନ ଅର୍ଥନୀତିରେ ସ୍ଥିରତା ବଜାୟ ରଖିବା ପାଇଁ ଦେଶର ମୁଦ୍ରାଭଣ୍ଡାରରେ ଯେଭଳି ପର୍ଯ୍ୟାପ୍ତ ରାଶି ମହଜୁଦ ରହେ ତାହାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଯାଇଛି। ସେଠାକାର ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୨ର ପ୍ରଥମ ୬ ମାସରେ ଭୁଟାନ ୮୦୦୦ରୁ ଅଧିକ ଗାଡ଼ି ଆମଦାନି କରିଛି। ବିଦେଶୀ ମୁଦ୍ରାଭଣ୍ଡାର ହ୍ରାସର ଏହା ଏକ ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି। ଭୁଟାନ ସମ୍ବିଧାନ ଅନୁସାରେ ଦେଶକୁ ଅତିକମ୍‌ରେ ୧୨ ମାସର ଆମଦାନି ପୂରଣ ପାଇଁ ବିଦେଶୀ ମୁଦ୍ରା ରଖିବାର ଆବଶ୍ୟକତା ରହିଛି। ବିଦେଶୀ ମୁଦ୍ରାଭଣ୍ଡାରର ସ୍ଥିତିକୁ ଦେଖି ସରକାର ଲଗାଇଥିବା ଆମଦାନି କଟକଣାର ସମୀକ୍ଷା ୬ ମାସ ମଧ୍ୟରେ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର