କଟୁ ସମାଲୋଚନା ପରେ ବାଇଡେନ୍‌-ହାରିସଙ୍କ ନିରବତା ଭଙ୍ଗ

ଵାସିଂଟନ: ଭାରତରେ ସମ୍ପ୍ରତି କୋଭିଡ୍‌ ସଂକ୍ରମଣ ଅତି ସଂକଟଜନକ ସ୍ଥିତିରେ ପହଞ୍ଚିଥିଲା ବେଳେ ସେଥିପ୍ରତି ନିରବ ରହିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ବିଭିନ୍ନ କ୍ଷେତ୍ରରୁ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏଥିରେ ବିଚଳିତ ହୋଇ ରବିବାର ବାଇଡେନ୍‌-ହାରିସ୍‌ ପ୍ରଶାସନ ନୂଆଦିଲ୍ଲୀକୁ ଯାବତୀୟ ପ୍ରକାର ସହଯୋଗ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ସୂଚନା ଥାଉ କି, ଭାରତରେ ଦୈନିକ ସଂକ୍ରମଣ ବିଶ୍ବ ରେକର୍ଡ(ଗତବର୍ଷର ଆମେରିକା ସଂକ୍ରମଣ) ଭାଙ୍ଗିବା ପରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ବିକାରତା ବିଶ୍ବବ୍ୟାପୀ ଭାରତ ସମର୍ଥକଙ୍କୁ ଆନ୍ଦୋଳିତ କରିଥିଲା। ଦୀର୍ଘ ୭୨ ଘଣ୍ଟାର ନିରବତା ଭାଙ୍ଗି ବାଇଡେନ୍‌ ଏଭଳି ଦୁର୍ଦ୍ଦିନ ବେଳେ ଭାରତ ସହ ଆମେରିକା ରହିଛି ବୋଲି କହିଛନ୍ତି।

ଗତବର୍ଷ ମହାମାରୀ କୋଭିଡ୍‌ର ପ୍ରାରମ୍ଭିକ ପ୍ରାଦୁର୍ଭାବ ସମୟରେ ଆମେରିକାର ଡାକ୍ତରଖାନାଗୁଡ଼ିକ ଅତ୍ୟନ୍ତ ଚାପରେ ରହିଥିବା ବେଳେ ଭାରତ ଆମକୁ ସହାୟତା ପଠାଇଥିଲା। ଭାରତର ଏଭଳି ତିରୋଟ ବେଳେ ଆମେରିକା ସାହାଯ୍ୟ କରିବାକୁ ଅଙ୍ଗୀକାରବଦ୍ଧ ବୋଲି ବାଇଡେନ୍‌ କହିଛନ୍ତି। ପରେ ପରେ ଉପରାଷ୍ଟ୍ରପତି କମଳା ହାରିସ ମଧ୍ୟ ଟ୍ବିଟ୍‌ କରି ତାଙ୍କ ସରକାର ବିଭିନ୍ନ କୋଭିଡ୍‌ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲାଗି ଭାରତ ସରକାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର