ପୁଅ ଶବ ଆଣିବା ପାଇଁ ଡାକ୍ତରଖାନାକୁ ୫୦,୦୦୦ ଟଙ୍କା ଲାଞ୍ଚ ଦେବା ଲାଗି ଭିକ୍ଷା ମାଗୁଛନ୍ତି ବିହାର ଦମ୍ପତି

ସମସ୍ତୀପୁର: ଏକ ସରକାରୀ ଡାକ୍ତରଖାନାରୁ ପୁଅର ଶବ ଆଣିବା ପାଇଁ ଏକ ବୟସ୍କ ଦମ୍ପତି ବିହାରର ସମସ୍ତୀପୁରରେ ଦ୍ବାର ଦ୍ବାର ବୁଲି ଟଙ୍କା ମାଗୁଛନ୍ତି। ପୁଅର ଶବ ନେବା ପାଇଁ ଡାକ୍ତରଖାନାର କର୍ମଚାରୀମାନେ କୁଆଡ଼େ ତାଙ୍କୁ ୫୦,୦୦୦/- ଟଙ୍କା ମାଗୁଛନ୍ତି।

ତାଙ୍କ ନିକଟରେ ଅର୍ଥ ନ ଥିବାରୁ ସେମାନେ ସହରର ବାଟଘାଟରେ ବୁଲି ଟଙ୍କା ମାଗୁଛନ୍ତି। ଦମ୍ପତି ଭିକ୍ଷାମାଗୁଥିବାର ଦୃଶ୍ୟ ଥିବା ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍।

Image Courtesy of NDTV

କିଛି ଦିନ ହେବ ପୁଅ ନିଖୋଜ ହୋଇଯାଇଥିଲା ବୋଲି ବାପା ମହେଶ ଠାକୁର କହିଛନ୍ତି। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ ମହେଶ କହିଛନ୍ତି, କିଛି ଦିନ ପୂର୍ବେ ମୋ ପୁଅ ନିଖୋଜ ହୋଇଯାଇଥିଲା। ସମସ୍ତୀପୁରର ସର୍ଦାର୍‌ ହସ୍ପିଟାଲ୍‌ରେ ପୁଅର ଶବ ଅଛି ବୋଲି ଏବେ ମୁଁ ଫୋନ୍‌ କଲ୍‌ ପାଇଲି। ପୁଅର ଶବ ନେବା ପାଇଁ ୫୦,୦୦୦/- ଟଙ୍କା ଆଣିବା ପାଇଁ ହସ୍ପିଟାଲ୍‌ର ଜଣେ କର୍ମଚାରୀ କହିଛନ୍ତି। ଆମେ ଗରିବ ଲୋକ, ‌ଏତେ ଟଙ୍କା କୁଆଡୁ ଆଣିବୁ?

Image Courtesy of Kannadi News

ସୂଚନାଯୋଗ୍ୟ, ଡାକ୍ତରଖାନାର ଅଧିକାଂଶ କର୍ମଚାରୀ ଠିକାରେ ନିଯୁକ୍ତି ପାଇଛନ୍ତି ଏବଂ ଠିକ୍‌ ସମୟରେ ଦରମା ପାଆନ୍ତି ନାହିଁ। ଡାକ୍ତରଖାନାର କର୍ମଚାରୀମାନେ ରୋଗୀମାନଙ୍କର ଆତ୍ମୀୟମାନଙ୍କ ଠାରୁ ଅର୍ଥ ନେଉଥିବାର ଅନେକ ଦୃଷ୍ଟାନ୍ତ ରହିଛି।

ଡାକ୍ତରଖାନାର କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ଏ ଘଟଣା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତୀପୁର ସିଭିଲ୍‌ ସର୍ଜନ୍‌ ଡାକ୍ତର ଏସ୍‌.କେ. ଚୌଧୁରୀ କହିଛନ୍ତି, ଏହା ମାନବତା ପାଇଁ ଲଜ୍ଜା। ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ।

ସମ୍ବନ୍ଧିତ ଖବର