ଚୋରକୁ ଧରିବାକୁ ପଶ୍ଚିମବଙ୍ଗ ଯାଇଥିବା ବିହାରର ପୁଲିସ ଅଧିକାରୀଙ୍କୁ ପିଟିପିଟି ହତ୍ୟା

କୋଲକାତା: ଜଣେ ଅପରାଧୀକୁ ଧରିବାକୁ ବିହାରର ପୁଲିସ ଅଧିକାରୀ ଯାଇଥିଲେ ଆଉ କିଛି ଲୋକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି | କିଛି ଏଭଳି ଘଟଣା ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ଘଟିଛି | ମିଳିଥିବା ସୂଚନା ମୁତାବକ ବିହାରର କିଶାନଗଞ୍ଜ ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର ଗାଲପୋଖର ପୁଲିସ ଷ୍ଟେସନ ଅଞ୍ଚଳର ପନ୍ତପଡା ଗାଁରେ ଏହି ଘଟଣା ଘଟିଛି। ଏକ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିହାର ପୁଲିସ ଟିମ୍ ଗାଁରେ ପହଞ୍ଚିଥିଲା। ତେବେ ଏଠାକାର କିଛି ଲୋକ ବିହାର ପୁଲିସର ଏହି ଟିମ ଉପରେ ଅତର୍କିତ ଆକ୍ରମଣ କରିଥିଲେ |

ଏଥିରେ ଟିମର ନେତୃତ୍ୱ ନେଉଥିବା ଥାନା ଅଧିକାରୀଙ୍କୁ ସେମାନେ ପିଟି ପିଟି ହତ୍ୟା କରିଥିଲେ | ଅଭିଯୁକ୍ତ ମାନେ ଥାନା ଅଧିକାରୀ ଅଶ୍ୱିନୀ କୁମାରଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ । ଏହି ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗ ପୁଲିସର ସୂଚନାନୁସାରେ, କିଶନଗଞ୍ଜ ସଦର ପୁଲିସ ଷ୍ଟେସନର ଥାନା ଅଧିକାରୀ ଅଶ୍ୱିନୀ କୁମାର ତାଙ୍କ ଅଞ୍ଚଳରେ ହୋଇଥିବା ଏକ ବାଇକ ଚୋରି ଘଟଣାର ତଦନ୍ତ କରିବା ପାଇଁ ଶନିବାର ସକାଳେ ପନ୍ତପଡା ଗ୍ରାମରେ ପହଞ୍ଚିଥିଲେ।

ବିହାର ପୁଲିସ ଟିମ୍ ଗାଁରେ ପହଞ୍ଚିବା ମାତ୍ରେ ଲୋକମାନେ ସେମାନଙ୍କୁ ଘେରି ଯାଇଥିଲେ । ଆଉ କିଛି ଲୋକ ଆଖିବୁଜା ଆକ୍ରମଣ କରିଥିଲେ | ଏଥିରେ ଥାନା ଅଧିକାରୀଙ୍କର ମୃତ୍ୟୁ ହୋଇଯାଇଥିଲା | ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ତାହାର ଏବେ ତଦନ୍ତ ଚାଲିଛି | ମୃତ ପୁଲିସ ଅଧିକାରୀଜଣକ ବିହାର ପୂର୍ଣ୍ଣିଆର ଜାନକିନଗରର ବାସିନ୍ଦା ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ ତିନି ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର