ସରକାରୀ ଅଫିସରୁ ଛାତ୍ରଛାତ୍ରୀଙ୍କୁ ବହି ମୁଣ୍ଡାଇ ଆଣିବାକୁ କହି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ସମସ୍ତିପୁର: ସରକାରୀ ଅଫିସରୁ ଛାତ୍ରଛାତ୍ରୀଙ୍କୁ ବହି ମୁଣ୍ଡାଇ ଆଣିବାକୁ କହି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ। ଦୁଇଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଅଫିସରୁ ମୁଣ୍ଡରେ ବହି ମୁଣ୍ଡାଇ ଆଣିବାକୁ କହିଥିଲେ ପ୍ରଧାନଶିକ୍ଷକ। ଏହି ଘଟଣାର ଖବର ମିଳିବା ପ‌ରେ ଏବେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ଏହି ଘଟଣା ବିହାରର ସମସ୍ତିପୁର ଜିଲ୍ଲାରେ ଘଟିଛି। ହନୁମାନଗର ମାଧ୍ୟମିକ ସ୍କୁଲ ଏବଂ ନାରାୟଣପୁର ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକମାନେ ସେମାନଙ୍କ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ଅଫିସରୁ ବହି ମୁଣ୍ଡାଇ ଆଣିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଭାଇରାଲ ହେଉଥିବା ଫଟୋରେ ଦେଖାଯାଇଛି ଯେ, ଛାତ୍ରଛାତ୍ରୀ ସେମାନଙ୍କ ମୁଣ୍ଡରେ ବହି ଭର୍ତ୍ତି ଥିବା ଅଖା ମୁଣ୍ଡରେ ଲଦି ଚାଲି ଚାଲି ଆସୁଛନ୍ତି। ଛାତ୍ରଛାତ୍ରୀମାନେ ଭାର ନେଇ ଏକ କିଲୋମିଟରରୁ ଅଧିକ ବାଟ ଯାତ୍ରା କରିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି। ଜଣେ ଶିକ୍ଷକ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ସ୍କୁଲ ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ବହି ପଠାଇବାକୁ କହିଥିଲେ। ଅନ୍ୟ ଜଣେ ଶିକ୍ଷକ କହିଛନ୍ତି ଯେ, ସେମାନେ ବର୍ତ୍ତମାନ ବୃଦ୍ଧ । ତେଣୁ ସେମାନେ ଛାତ୍ରଛାତ୍ରୀମାନଙ୍କୁ ବହି ନେବାକୁ କହିଥିଲେ।

ତେବେ ଘଟଣା ସାମ୍ନାକୁ ଆସିବା ପରେ ଦୁଇଟି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର