କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କୁ ହଟାଇବାକୁ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ବାଙ୍ଗାଲୁରୁ: କର୍ଣ୍ଣାଟକରେ ଏଚଡି କୁମାରସ୍ୱାମୀ ନେତୃତ୍ୱାଧୀନ ଜେଡିଏସ-କଂଗ୍ରେସ ସରକାରର ପତନ ହେବା ସତ୍ତ୍ୱେ ଏବେବି ରାଜନୈତିକ ଛକାପଞ୍ଝା ସରିନାହିଁ । ଆସ୍ଥାଭୋଟରେ ମେଣ୍ଟ ସରକାର ହାରିବା ପର ଦିନ ହିଁ ବାଚସ୍ପତି ରମେଶ କୁମାର ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ବାଚସ୍ପତିଙ୍କ ଏହି କାର୍ଯ୍ୟାନୁଷ୍ଠାନ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଦେଇଛି । କାରଣ ଥରେ ଅଯୋଗ୍ୟ ଘୋଷଣା ହୋଇଗଲେ ସେମାନେ ଚଳିତ ବିଧାନସଭା ଶେଷ ହେବା ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ କିମ୍ବା ଚଳିତ ସରକାରରେ ମନ୍ତ୍ରୀ ହୋଇପାରିବେ ନାହିଁ ।
ଏହି ସମସ୍ୟାର ସମାଧାନ ପାଇଁ ବିଜେପି ଏକ ଯୋଜନା କରୁଛି । ଏହି ଯୋଜନା ଅନୁସାରେ ବାଚସ୍ପତିଙ୍କୁ ନିଜ ପଦବୀରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଅଣାଯିବ । ସମ୍ବିଧାନର ଧାରା ୧୭୯ (ଗ) ଅନୁସାରେ ଏକ ପ୍ରସ୍ତାବ ଆଣି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବ । ତେବେ ଏଥିପାଇଁ ୧୪ ଦିନିଆ ନୋଟିସ ଦିଆଯିବ । ଏହି ୧୪ ଦିନରେ ବାଚସ୍ପତି ଗୃହର ଅଧ୍ୟକ୍ଷତା କରିପାରିବେ ନାହିଁ କିମ୍ବା କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ ।

ସମ୍ବନ୍ଧିତ ଖବର