ଡରାଉଛି ସାମୁଦ୍ରିକ ଝଡ ତୌତେ: ମୁମ୍ବାଇରୁ ୫୮୦ କରୋନା ରୋଗୀଙ୍କୁ ସ୍ଥାନାନ୍ତର କଲା ବିଏମସି

ମୁମ୍ବାଇ: ସାମୁଦ୍ରିକ ଝଡ ତୌତେକୁ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବା ପରେ ବୃହନମୁମ୍ବାଇ ନଗର ନିଗମ କୋଭିଡ କେୟାର ସେଣ୍ଟରରୁ ୫୮୦ ଜଣ କରୋନା ସଂକ୍ରମିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି । ସୂଚନା ମୁତାବକ ବିକେସିରୁ ୨୪୩, ଦହିସରରୁ ୧୮୩ ଓ ମୁଲୁଣ୍ଡରୁ ୧୫୪ ଜଣ କରୋନା ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । କହିରଖୁ କି ସାମୁଦ୍ରିକ ଝଡ ତୌତେ ପ୍ରଭାବରେ ମୁମ୍ବାଇରେ ୬୦-୮୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରି ସତର୍କ କରିଛି ପାଣିପାଗ ବିଭାଗ ।

ବିଏମସିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ଶନିବାର ରାତିରେ ୫୮୦ ଜଣ କରୋନା ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏହାସହ ସହରରେ ଲାଗିଥିବା ସମ୍ପୂର୍ଣ୍ଣ ଲକଡାଉନ ଉପରେ ବି ବିଚାର କରାଯାଉଥିବା କଥା ସେ କହିଛନ୍ତି   । ଏହାସହ ଉପନଗର ରେଳ ସେବା ଚାଲୁ ରହିବ ବୋଲି ସେ ସୂଚନା ଦେଇଛନ୍ତି ।

Image
ANI

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ସାମୁଦ୍ରିକ ଝଡ ତୌତେ ମୁମ୍ବାଇର ତଟବର୍ତ୍ତୀ ଅଞ୍ଚଳ ଦେଇ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି । ମୁମ୍ବାଇ ଓ ଥାଣେ ଅଞ୍ଚଳରେ ପ୍ରବଳ ବେଗରେ ପବନ ବୋହିପାରେ ବୋଲି ବି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।

ଏଭଳି ସୂଚନା ପାଇବା ପରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଧିକାରୀ ବାତ୍ୟା ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଆଶ୍ରୟ ଗୃହକୁ ଆଣିବା ସହ ସେମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରୁଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର