ଅଧିକ ମାର୍କ ରଖିବାରୁ ଈର୍ଷା: ବିଷ ଦେଇ ହତ୍ୟା କଲେ ସହପାଠିନୀଙ୍କ ମା’

ପୁଡୁଚେରୀ : ପୁଡୁଚେରୀର କରାଇକାଲରେ ଜଣେ ୧୩ ବର୍ଷ ବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବାଳକର ସହପାଠିନୀଙ୍କ ମା’ ତାଙ୍କ ଝିଅଠାରୁ ଭଲ ପଢ଼ୁଥିବା ଏବଂ ଅଧିକ ନମ୍ବର ରଖୁଥିବାରୁ ତାକୁ ଥଣ୍ଡା ପାନୀୟରେ ବିଷ ମିଶାଇ ପିଇବାକୁ ଦେଇଥିଲେ ବୋଲି ପୁଲିସ ସନ୍ଦେହ କରୁଛି।

ବିଦ୍ୟାଳୟର ବାର୍ଷିକୋତ୍ସବ ପାଇଁ ରିହର୍ସାଲ ସାରି ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବାଳକ ନିଜ ଘରକୁ ଫେରିଥିଲା। ତା’ପରେ ସେ ଭୀଷଣ ବାନ୍ତି କରି ଅସୁସ୍ଥ ହୋଇ ପଡ଼ିଥିଲା। ବିଦ୍ୟାଳୟର ସିକ୍ୟୁରିଟି ଗାର୍ଡ ମାଆ ପଠାଇଛନ୍ତି କହି ତାକୁ ଥଣ୍ଡା ପାନୀୟ ଦେଇଥିଲେ। ତାକୁ ପିଇବା ପରେ ଅସୁସ୍ଥ ଅନୁଭବ କରିଥିଲା ବୋଲି ବାଳକଟି ମାଆଙ୍କୁ କହିଥିଲା। ତାକୁ ତୁରନ୍ତ କରାଇକାଲ ସରକାରୀ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିଲା। ଅବସ୍ଥା ଅଧିକ ବିଗିଡ଼ିବାରୁ ବିଳମ୍ବିତ ରାତିରେ ବାଳକକୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବାବେଳେ ଶନିବାର ବାଳକର ମୃତ୍ୟୁ ହୋଇଥିଲା।
ମୃତ ବାଳକର ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ବିଦ୍ୟାଳୟର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଫୁଟେଜ୍‌ରୁ ଜଣାପଡ଼ିଥିଲା, ପିଲାଟିର ସହପାଠିନୀଙ୍କ ମାଆ ସିକ୍ୟୁରିଟି ଗାର୍ଡ଼କୁ ଥଣ୍ଡା ପାନୀୟ ଦେଇଥିଲେ। ସିକ୍ୟୁରିଟି ଗାର୍ଡକୁ ପଚରାଉଚରା କରିବା ପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା। ପୁଲିସ ମହିଳାଙ୍କୁ ଗିରଫ କରିଥିଲା। ତାଙ୍କ ଝିଅଠାରୁ ଭଲ ପଢ଼ୁଥିବା ଏବଂ ଅଧିକ ନମ୍ବର ରଖୁଥିବାରୁ ଈର୍ଷାରେ ସେ ଏଭଳି କରିଛନ୍ତି ବୋଲି ପୁଲିସକୁ କହିଛନ୍ତି।

ସମ୍ବନ୍ଧିତ ଖବର