କୋଭିଡ୍‌-୧୯ରେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଖୋଜିବେ ବ୍ରିଟିଶ ବୈଜ୍ଞାନିକ

କରୋନା ବା କୋଭିଡ୍‌-୧୯ରେ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ପ୍ରାଣ ହରାଉଥିବା ବେଳେ ଅଧିକାଂଶ ଲୋକମାନେ ସୁସ୍ଥ ହେଉଛନ୍ତି। ତେବେ କେଉଁ ପରିସ୍ଥିତିରେ କରୋନା ଭୂତାଣରୁ ଲୋକାମ‌ାନେ ପ୍ରାଣ ହରାଉଛନ୍ତି, ତାହାର କାରଣ ଖୋଜିବା ଲାଗି ବ୍ରିଟିଶ୍‌ ବୈଜ୍ଞାନିକ ଆଗେଇ ଆସିଛନ୍ତି। ବିଶେଷକରି କୋଭିଡ୍‌-୧୯ରେ ଅସୁସ୍ଥ ହୋଇଥିବା ଲୋକମାନଙ୍କର ଜିନ୍‌ ଉପରେ ଗବେଷଣା କରାଯିବା ବୋଲି ଜଣାପଡ଼ିଛି। ଯେଉଁ ବ୍ୟକ୍ତିମାନେ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ ଓ ଯେଉଁମାନେ ସାମାନ୍ୟ ଭାବେ ଅସୁସ୍ଥ କିମ୍ବା ଆଦୌ ଅସୁସ୍ଥ ହୋଇ ନ ଥିଲେ, ସେମାନଙ୍କ ଜେନେଟିକ୍ କୋଡ୍‌ର ଗବେଷଣା କରାଯିବାକୁ ୟୁକେର ଗବେଷକ ଗବେଷଣା କରିବେ। ଏଥିରେ ଗୁରୁତର ଅସୁସ୍ଥ ଥିବା ୨୦ ହଜାର ଲୋକ ଓ ସାମାନ୍ୟ ଲକ୍ଷଣ ଥିବା ୧୫ହଜାର ଲୋକଙ୍କୁ ନେଇ ଗବେଷଣା କରାଯିବ।

ବିଶେଷକରି କିଛି ନିର୍ଦ୍ଦିଷ୍ଟ ଲୋକମାନଙ୍କ ପାଇଁ କାହିଁକି କୋଭିଡ୍‌-୧୯ ଘାତକ ସାବ୍ୟସ୍ତ ହେଉଛି, ତାହା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଲୋକମାନଙ୍କ ଜିନ୍‌ରେ ଏ ନେଇ କିଛି ରହସ୍ୟ ଲୁଚି ରହିଥିବା ଗବେଷକମାନେ ଆଶା କରୁଛନ୍ତି। ମଣିଷ ଶରୀରର ଜିନ୍‌ରେ ଡିଏନ୍‌ଏ ବା ଡିଅକ୍ସିରାଇବୋନ୍ୟୁକ୍ଲିକ୍ଏସିଡ୍‌ ଦ୍ବାରା ଆଚ୍ଛାଦିତ। ଏପରିକି ମଣିଷ ଶରୀରରେ ୩ ବିଲିଅନ୍ ପର୍ଯ୍ୟନ୍ତ ଡିଏନ୍ଏ ଯୋଡ଼ା ରହିଥାଏ। ସଂପୂର୍ଣ୍ଣ ଜିନମ୍‌କୁ ପରୀକ୍ଷା କରିବା ପରେ କେଉଁ ପରିସ୍ଥିତିରେ ଜଣେ ବ୍ୟକ୍ତି ଆଦୌ ଅସୁସ୍ଥ ହେଉନାହିଁ ଓ ଜଣେ ପ୍ରାଣ ହରାଉଛି, ତାହା ସ୍ପଷ୍ଟ ହୋଇପାରିବ। ଫଳରେ ପରବର୍ତୀ ସମୟରେ କୋଭିଡ୍‌-୧୯ର ନୂତନ ଚିକିତ୍ସା ସମ୍ଭବ ହେବା ସହ ଆଗାମୀ ଦିନରେ ଯଦି ଏଭଳି କୌଣସି ମହାମାରୀ ଦେଖାଦିଏ, ତାହାଲେ ଅନେକ ଜୀବନ ରକ୍ଷା କରାଯାଇପାରିବ। ୨୦୦୦ ଲୋକଙ୍କ ଉପରେ ଏ ନେଇ ପରୀକ୍ଷା ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରାରମ୍ଭିକ ସଫତଳା ସଂପର୍କରେ‌ ଖୁବଶୀଘ୍ର ସୂଚନା ଦିଆଯିବ ବୋଲି ୟୁକେର ଜେନୋମିକ୍‌ରେ ଗବେଷଣାରତ ଡାକ୍ତର କିନିଥ ବୈଲି କହିଛନ୍ତି। ତେବେ ଅଧିକରୁ ଅଧିକ ଲୋକଙ୍କ ଉପରେ ଗବେଷଣା କରାଗଲେ ହିଁ ତାହା ଗବେଷଣାକୁ ଅଧିକ ଫଳପ୍ରଦ ‌କରିପାରିବ। ଗବେଷଣାର ସୁଫଳ ବିଶ୍ବବ୍ୟାପୀ ଲୋକମାନେ ପାଇପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର