ହୃଦଘାତର ଶିକାର ହେଲେ ଚାଳକ, ଅନ୍ୟ ଯାତ୍ରୀଙ୍କ ଉପରେ ମାଡ଼ି ଚାଲିଗଲା ବସ

ନୂଆଦିଲ୍ଲୀ: ହୃଦଘାତ ହେତୁ ଶୋଇଥିବା ଅବସ୍ଥାରେ ହେଉ ଅବା କିଏ ମଞ୍ଚ ଉପରେ ଛିଡ଼ା ହୋଇ ଗୀତ ଗାଉଥିବା ବେଳେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହି କ୍ରମରେ ନିକଟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ବସ ଚଲାଉଥିବା ବେଳେ ଜଣେ ଚାଳକ ହୃଦଘାତ ଶିକାର ହୋଇଛନ୍ତି। ଫଳରେ ସେ ଯେଉଁ ବସ ଚଲାଉଥିଲେ ତାହା ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀଙ୍କ ଉପରେ ଚଢ଼ି ଚାଲି ଯାଇଥିଲା।
ଏହି ଲୋମଟାଙ୍କୁରା ଘଟଣା ମଧ୍ୟପ୍ରଦେଶର ଜବଲପୁରରୁ ସାମ୍ନାକୁ ଆସିଛି। ଏହାର ଏକ ସିସିଟିଭି ଫୁଟେଜ ବି ରହିଛି।

ଗତ ଶୁକ୍ରବାର ଦ୍ବିପହର ସମୟରେ ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ କୋତବାଲି ଥାନା ଅଞ୍ଚଳରେ ଏକ ସିଟି ବସ ଆଧାରତାଲାରୁ ରାନିତାଲା ପାଇଁ ଯାତ୍ରା ଆରମ୍ଭ କରିଥିଲା। ସେହି ସମୟରେ ଏକ ଟ୍ରାଫିକ ସିଗନାଲରେ ବସ ପହଞ୍ଚିବା ପରେ ଚାଳକଙ୍କୁ ହୃଦଘାତ ହୋଇଥିଲା। ସେ ବସକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ବସ ଅଟକି ନଥିଲା।

ଆଉ ଘଟଣାସ୍ଥଳରେ ଛିଡ଼ା ହୋଇଥିବା ସ୍କୁଟି, ଅଟୋ, ବାଇକ ଉପରେ ବସ ଚଢ଼ି ଚାଲି ଯାଇଥିଲା। ମୃତ ବସ ଚାଳକଙ୍କ ନାମ ହରଦେବ ପାଲ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଶିଶୁଙ୍କ ସମେତ ୫ଜଣ ଅନ୍ୟଲୋକେ ଏଥିରେ ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର