ଆପଣ ଏଇ ଭିଡିଓ ଦେଖିବା ବେଳକୁ ମୁଁ ସ୍ୱର୍ଗରେ ଥିବି: ଆତ୍ମଘାତୀ ଆତଙ୍କବାଦୀର ଭିଡିଓ ବାର୍ତ୍ତା

ଶ୍ରୀନଗର: ପୁଲ୍‌ଓ୍ଵାମାର ଅବନ୍ତୀପୋରା ସହରରେ ସିଆର୍‌ପିଏଫ୍‌ ବସ୍‌ ଉପରେ ଆତ୍ମଘାତୀ ଆକ୍ରମଣ ହେବାର କେଇ ମୁହୂର୍ତ୍ତ ପରେ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ ରିଲିଜ୍‌ କରିଛି ଏକ ଭିଡିଓ।

ଦକ୍ଷିଣ କକପୋରାର ଅଦିଲ୍‌ ଓରଫ୍‌ ଓ୍ଵାକସ୍‌ ଏହି ଭିଡିଓରେ ଦେଖାଯାଉଛି। ତା’ପଛରେ ରହିଛି ଜୈସ୍‌ର ପତାକା ଏବଂ ସେ ଧରିଛି ଉନ୍ନତ ଧରଣର ସ୍ୱୟଂକ୍ରିୟ ରାଇଫଲ୍‌। ଏଇ କଥା କହି ସେ ଭିଡିଓ ଆରମ୍ଭ କରୁଛି: ଏଇ ଭିଡିଓ ଆପଣମାନଙ୍କ ପାଖରେ ପହଞ୍ଚିବା ବେଳକୁ ମୁଁ ସ୍ୱର୍ଗରେ ଥିବି। ଜଣେ ଆତଙ୍କବାଦୀ ଭାବେ ମୁଁ ଜୈସ୍‌-ଏ-ମହମଦ୍‌ରେ ବର୍ଷେ କାଟିଛି। କାଶ୍ମୀରବାସୀଙ୍କ ଲାଗି ଏଇଟା ମୋର ଶେଷ ବାର୍ତ୍ତା।

ଆଇସିଏ୧୮ ହାଇଜାକ୍‌, ୨୦୦୧ ପାର୍ଲାମେଣ୍ଟ୍‌ ଆକ୍ରମଣ, ନାଗ୍ରୋତା ଆକ୍ରମଣ, ଉରି ଆକ୍ରମଣ ଏବଂ ପଠାନକୋଟ୍‌ ଆଇଏଏଫ୍‌ ବେସ୍‌ ଆକ୍ରମଣ ଆଦି ଅତୀତରେ ଜୈସ୍‌ ଭାରତରେ କରିଥିବା ଆକ୍ରମଣଗୁଡ଼ିକ ସମ୍ବନ୍ଧରେ ଓ୍ଵାକସ୍‌ ସଗର୍ବ କହୁଛି।

ଉତ୍ତର କଶ୍ମୀର ପାଇଁ ସେ ବାର୍ତ୍ତା ଦେଇ କହୁଛି ଯେ ଦକ୍ଷିଣ କଶ୍ମୀରରେ ଲୋକେ ଭାରତ ବିରୋଧରେ ସଂଗ୍ରାମ କରୁଛନ୍ତି ଏବେ ଉତ୍ତର ଏବଂ କେନ୍ଦ୍ରୀୟ ତଥା ଜମ୍ମୁ ଲୋକମାନେ ସେମାନଙ୍କ ସହ ଯୋଗ ଦେବାର ସମୟ ଆସିଛି।

ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଭିଡିଓରେ ଆହୁରି କହିଛି: ଆମର ଅଳ୍ପ କେତେକ ଆତଙ୍କବାଦୀ କମାଣ୍ଡରଙ୍କୁ ହତ୍ୟା କରି ଆମକୁ ଦୁର୍ବଳ କରି ପାରିବେ ନାହିଁ। କଶ୍ମୀରରେ ନିରାପତ୍ତା ବଳଙ୍କ ଉପରେ ନିକଟ ଅତୀତରେ ହୋଇଥିବା ସ୍ନିପର୍‌ ଏବଂ ଆଇଇଡି ଆକ୍ରମଣ ସଂକ୍ରାନ୍ତରେ ମଧ୍ୟ ସେ ଉଲ୍ଲେଖ କରିଛି।

ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ, ପୁଲ୍‌ଓ୍ଵାମା ଅନ୍ତର୍ଗତ ଗୁଣ୍ଡିବାଗ୍‌ର ଅଦିଲ୍‌ ହୁସେନ୍‌ ଦର୍‌ ତା’ର ଅନ୍ୟ ଦୁଇ ବନ୍ଧୁ ତୌସୀଫ୍‌ ଏବଂ ଓ୍ଵାସୀମ୍‌ଙ୍କ ସହ ୨୦୧୬ ମାର୍ଚ ୧୯ ତାରିଖରୁ ନିରୁଦ୍ଦେଶ ହୋଇଯାଇଥିଲା। ତୌସୀଫ୍‌ର ବଡ଼ଭାଇ ମଞ୍ଜୁର୍‌ ଅହମଦ୍‌ ଦର୍‌ ଥିଲେ ଜଣେ ଆତଙ୍କବାଦୀ ଓ ସେ ୨୦୧୬ରେ ନିହତ ହୋଇଥିଲେ। ସ୍କୁଲ୍‌ ବିତାଡ଼ିତ ଅଦିଲ୍‌ ରାଜମିସ୍ତ୍ରୀ କାମ କରୁଥିଲା।

ସମ୍ବନ୍ଧିତ ଖବର