ସିଏଏ ବିବାଦ: ରାହୁଲଙ୍କୁ ଶାହଙ୍କ କଡ଼ା ସମାଲୋଚନା

ସମର୍ଥନ ପାଇଁ ଘରକୁ ଘର ବୁଲିବେ ବିଜେପି ନେତା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ସପକ୍ଷରେ ସମର୍ଥନ ପାଇବା ପାଇଁ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ବରିଷ୍ଠ ବିଜେପି ନେତାମାନେ ଆସନ୍ତା‌ ରବିବାର ଦିନ ଘରକୁ ଘର ବୁଲିବେ। ୧୦ ଦିନରେ ୩ କୋଟି ପରିବାର ସହ ଯୋଗାଯୋଗ ସ୍ଥାପନ ପାଇଁ ବିଜେପି ଦ୍ବାରା ଆରମ୍ଭ ହୋଇଥିବା‌ ଅଭିଯାନ ଆଧାରରେ ଆସନ୍ତା ରବିବାର ଦିନ ଅନେକ ବରିଷ୍ଠ ନେତା ବିଭିନ୍ନ ରାଜ୍ୟ ଗସ୍ତ କରିବେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଜାତୀୟ ରାଜଧାନୀ ଦିଲ୍ଲୀରେ ଘରକୁ ଘର ବୁଲି ସିଏଏ ସପକ୍ଷରେ ସମର୍ଥନ ଲୋଡ଼ିବେ। ସେହିପରି ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଗାଜିଆବାଦ୍‌ରେ ଲୋକଙ୍କ ଘରକୁ ଯିବେ। ରାଜନାଥ ସିଂହ ଲକ୍ଷ୍ନୌରେ ରହିବେ, ନୀତିନ ଗଡ଼କରୀ ଏବଂ ନିର୍ମଳା ସୀତାରମଣ ପ୍ରଚାର ଅଭିଯାନର ପ୍ରଥମ ଦିନରେ ଜୟପୁରରେ ରହିବେ। ବିଜେପି ସାଧାରଣ ସଚିବ ଅନିଲ ଜୈନ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ସିଏଏ, ଏନ୍‌ପିଆର ଏବଂ ଏନ୍‌ଆରସି ନେଇ ଭାରତୀୟ ମୁସଲିମ୍‌ମାନେ ଚିନ୍ତା କରିବାର କିଛି ନାହିଁ। ଭାରତର ଏକମାତ୍ର ଧର୍ମ ଏହାର ସମ୍ବିଧାନ ବୋଲି ସେ କହିଛନ୍ତି। ତେବେ ଏନ୍‌ଆରସି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନାଇଁ ଦେଶବ୍ୟାପୀ ମତାମତ ଲୋଡ଼ାଯିବ ବୋଲି ସେ କହିଛନ୍ତି।

ଆଇନ ବୁଝିପାରୁନଥିଲେ ଇଟାଲି ଅନୁବାଦ କରି ବୁଝାଇଦେବୁ
ରାହୁଲଙ୍କୁ ଶାହଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସିଏଏ ପ୍ରସଙ୍ଗରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାହ କହିଛନ୍ତି, ଯେତେ ଆନ୍ଦୋଳନ ହେଲେ ବି ବିଜେପି ନାଗରିକତା ଆଇନ ପ୍ରସଙ୍ଗରେ ଗୋଟିଏ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ। ସିଏଏ ସମର୍ଥନରେ ଶାହ ଆଜି ରାଜସ୍ଥାନର ଯୋଧପୁରରେ ଏକ ରୢାଲିରେ ଉଦ୍ବୋଧନ ଦେଇ କହିଛନ୍ତି, ଯଦି ସବୁ ଦଳ ଏକାଠି ହୁଅନ୍ତି ତେବେ ମଧ୍ୟ ବିଜେପି ସିଏଏ ପ୍ରସଙ୍ଗ‌ରେ ଇଞ୍ଚେ ପଛକୁ ହଟିବ ନାହିଁ। ଯେତେ ମିଛ ଖବର ପ୍ରଚାର କଲେ ବି ଆମେ ହତୋତ୍ସାହ ହେବୁ ନାହିଁ ବୋଲି ସେ କହିଛନ୍ତି। ଏଥିସହ ଶାହ ‌କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା‌ କରିଛନ୍ତି। ଶାହ କହିଛନ୍ତି, ‘ଯଦି ଆପଣ ଆଇନକୁ ପଢ଼ିଛନ୍ତି ତେବେ ଏ ସଂକ୍ରାନ୍ତରେ ବିତର୍କ ପାଇଁ ଆସନ୍ତୁ। କିନ୍ତୁ ଯଦି ଆଇନ ପଢ଼ିନାହାନ୍ତି ତେବେ ମୁଁ ଇଟାଲି ଅନୁବାଦ କରି ଏହି ଆଇନକୁ ବୁଝାଇଦେବି। ଶାହ କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି, କଂ‌ଗ୍ରେସ ଭୋଟ୍‌ ବ୍ୟାଙ୍କ୍‌ ରାଜନୀତି ପାଇଁ ଜଣେ ମହାନ୍‌ ବ୍ୟକ୍ତିତ୍ବ ବୀର ସବରକରଙ୍କ ବିରୋଧରେ କହୁଛି। କଂଗ୍ରେସ ଏଥିପାଇଁ ଲଜ୍ଜା ଅନୁଭବ କରିବା ଉଚିତ । ଅନ୍ୟପକ୍ଷେ ଲୋକମାନଙ୍କୁ ସିଏଏ ପ୍ରସଙ୍ଗରେ ବୁଝାଇ ଶାହ କହିଛନ୍ତି, ସିଏଏ ଆଇନ ବଳରେ ନାଗରିତକା ଦିଆଯିବ କିନ୍ତୁ କାହାର ନାଗରିକତା ଛଡ଼ାଇ ନିଆଯିବ ନାହିଁ।

ସମ୍ବନ୍ଧିତ ଖବର