ବଦଳିବ ଏୟାର ଇଣ୍ଡିଆର ଭାଗ୍ୟ! ଏହି ବ୍ୟକ୍ତିଙ୍କୁ ନୂଆ ମହାରାଜା ଭାବେ ଘୋଷଣା କଲା ଟାଟା

ନୂଆଦିଲ୍ଲୀ: କିଛି ଦିନର ଅପେକ୍ଷା ପରେ ଶେଷରେ ଟାଟା ସନ୍ସ କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି । ଟାଟା ସନ୍ସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ୫୦ ବର୍ଷୀୟ କ୍ୟାମ୍ପବେଲ ୱିଲସନଙ୍କର ବିମାନ ଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ଥିବାବେଳେ ୱିଲସନ ୨୦୧୧ ମସିହାରେ ସିଙ୍ଗାପୁର ଏୟାରଲାଇନ୍ସର ସ୍ୱଳ୍ପ ମୂଲ୍ୟର କମ୍ପାନୀ ସ୍କୁଟର ପ୍ରତିଷ୍ଠାତା ଥିଲେ ଏବଂ ୨୦୧୬ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ। ଏହା ପରେ ସେ ସିଙ୍ଗାପୁର ଏୟାରଲାଇନ୍ସର ସେଲସ ଏବଂ ମାର୍କେଟିଂ ବିଭାଗର ବରିଷ୍ଠ ଉପସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ | କ୍ୟାମ୍ପବେଲ ୱିଲସନଙ୍କ ନିଯୁକ୍ତିକୁ ନେଇ ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ୱିଲସନ ଜଣେ ଇଣ୍ଡଷ୍ଟ୍ରି ଭେଟେରାନ୍ ଯିଏ ପ୍ରମୁଖ ବିଶ୍ୱ ବଜାରରେ କାର୍ଯ୍ୟ କରିଛନ୍ତି।

ତାଙ୍କର ଅଭିଜ୍ଞତା ଏସିଆରେ ଏକ ଏୟାରଲାଇନ୍ସ ବ୍ରାଣ୍ଡ ନିର୍ମାଣରେ ଏୟାର ଇଣ୍ଡିଆକୁ ଲାଭ ଦେବ | କ୍ୟାମ୍ପବେଲ ୱିଲସନ ୧୯୯୬ରେ ସିଙ୍ଗାପୁର ଏୟାରଲାଇନ୍ସରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ | ସେତେବେଳେ ସେ ନ୍ୟୁଜିଲାଣ୍ଡରେ ଜଣେ ମ୍ୟାନେଜମେଣ୍ଟ ଟ୍ରେନି ଥିଲେ | ପରେ କମ୍ପାନି ତାଙ୍କୁ କାମ କରିବାକୁ କାନାଡା, ହଂକଂ ଏବଂ ଜାପାନକୁ ପଠାଇଥିଲା | ଏହା ପରେ ସେ ୨୦୧୧ରେ ସେ ସିଙ୍ଗାପୁରକୁ ଫେରିଥିଲେ ଏବଂ ‘ସ୍କୁଟ’ର ଆରମ୍ଭରୁ ୨୦୧୬ ପର୍ଯ୍ୟନ୍ତ କମ୍ପାନୀର ସିଇଓ ଥିଲେ | ସ୍କୁଟ ହେଉଛି ସିଙ୍ଗାପୁର ଏୟାରଲାଇନ୍ସର ଏକ ସ୍ୱଳ୍ପ ମୂଲ୍ୟର ସେବା ଯୋଗାଉଥିବା ସହାୟକ କମ୍ପାନି |

ସୂଚନା ଥାଉ କି ପ୍ରଥମେ ଟାଟା ସନ୍ସ ପକ୍ଷରୁ ତୁର୍କୀର ଇଲକର ଆଇସିଙ୍କୁ ଏୟାର ଇଣ୍ଡିଆର ସିଇଓ ଭାବେ ନିଯୁକ୍ତି ଦିଆଯାଇଥିଲା | କିନ୍ତୁ ତୁର୍କୀ ରାଷ୍ଟ୍ରପତି ରିସିପ ତାଇପି ‌ଏର୍ଡୋଗାନଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିବା ଅଭିଯୋଗରେ ଭାରତରେ ତାଙ୍କର ନିଯୁକ୍ତିକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ଅନୁବନ୍ଧିତ ସ୍ବଦେଶୀ ଜାଗରଣ ମଞ୍ଚ ତୀବ୍ର ବିରୋଧ କରିଥିଲା। ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଆଇସି ନିଜ ତରଫରୁ ଏହି ଚାକିରିକୁ ପ୍ରତ୍ୟାଖ୍ୟାନ କରିଥିଲେ |

ସମ୍ବନ୍ଧିତ ଖବର