କରୋନା ମୃତ୍ୟୁ ୨ ଲକ୍ଷ ଟପିଲା, ପ୍ରଥମ ଥର ପାଇଁ ଦିନକରେ ୩ ହଜାରରୁ ଊର୍ଦ୍ଧ୍ବ ମୃତ

ମହାରାଷ୍ଟ୍ରରେ ୯୮୫ ମୃତ, କର୍ଣ୍ଣାଟକ ସ୍ଥିତି ଜଟିଳ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଯାଇଛି। ଦିନକରେ ରେକର୍ଡ ୩ ହଜାରରୁ ଅଧିକ କରୋନା ମୃତ୍ୟୁ ହୋଇଛି। ବିଗତ ୨୪ ଘଣ୍ଟାରେ ୩,୨୯୩ କରୋନା ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୨୦୧,୧୮୭ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୩,୬୦,୯୬୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୭୯,୯୭,୨୬୭ରେ ପହଞ୍ଚିଛି। ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସମେତ ୧୦ଟି ରାଜ୍ୟରେ ୭୮.୫୩ ପ୍ରତିଶତରୁ ଅଧିକ ନୂଆ କରୋନା ମୃତ୍ୟୁ ଚିହ୍ନଟ ହୋଇଛି। ଏହି ୧୦ ରାଜ୍ୟ ତାଲିକାରେ ଛତିଶଗଡ଼, କର୍ଣ୍ଣାଟକ, ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଂଜାବ, ମଧ୍ୟପ୍ରଦେଶ ମଧ୍ୟ ରହିଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୮୯୫ ରୋଗୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୮୧, ଉତ୍ତରପ୍ରଦେଶରେ ୨୬୪, ଛତିଶଗଡ଼ରେ ୨୪୬, କର୍ଣ୍ଣାଟକରେ ୧୮୦, ଗୁଜରାଟରେ ୧୭୦, ଝାଡ଼ଖଣ୍ଡରେ ୧୩୧, ରାଜସ୍ଥାନରେ ୧୨୧ ଏବଂ ପଂଜାବରେ ୧୦୦ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ହୋଇଛି।

ବିଗତ ୨୪ ଘଣ୍ଟାରେ ୫ ରାଜ୍ୟରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬୬,୩୫୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୯୮୫ ଜଣଙ୍କ ମୃତ୍ୟୁ ଘଟିଛି। କର୍ଣ୍ଣାଟକରେ ୩୯ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି ଏବଂ ବେଙ୍ଗାଲୁରୁ ସ୍ଥିତି ସାଂଘାତିକ ହୋଇଛି। କେବଳ ବେଙ୍ଗାଲୁରୁରେ ସକ୍ରିୟ ମାମଲା ୨ ଲକ୍ଷରେ ପହଞ୍ଚିଛି। କେରଳରେ ୩୨,୮୧୯ ଏବଂ ଦିଲ୍ଲୀରେ ୨୪,୧୪୯ ମାମଲା ଚିହ୍ନଟ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୮,୧୭,୩୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ୨୯,୭୮,୭୦୯ ରହିଛି। ଆଜି ଜାତୀୟ ଆରୋଗ୍ୟ ହାର ୮୨.୩୩ ପ୍ରତିଶତକୁ ଖସି ଆସିଛି। ଦିଲ୍ଲୀରେ ପଜିଟିଭ୍‌ ହାର ୩୨.୭୨ ପ୍ରତିଶତ ପହଞ୍ଚିଛି।

ସମ୍ବନ୍ଧିତ ଖବର