ସୋପୋର ସିଆରପିଏଫ କ୍ୟାମ୍ପ ଉପରେ ବୋମା ମାଡ଼ କଲେ ବୁର୍ଖା ପିନ୍ଧା ମହିଳା

ସୋପୋର: ସିଆରପିଏଫ କ୍ୟାମ୍ପ ଉପରେ ବୋମା ମାଡ଼ କଲେ ବୁର୍ଖା ପିନ୍ଧା ମହିଳା। ମଙ୍ଗଳବାର ରାତିରେ ଜମ୍ମୁ-କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ସହରରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) କ୍ୟାମ୍ପ ଉପରେ ବୋମା ମାଡ଼ କରାଯାଇଥିବା ଜଣାପଡ଼ିଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରୁ ଜଣାପଡ଼ିଛି ‌ଯେ, ବୁର୍ଖା ପିନ୍ଧିଥିବା ଜଣେ ମହିଳା ସିଆରପିଏଫ କ୍ୟାମ୍ପ ପାଖକୁ ଆସିବା ସହ ନିଜ ବ୍ୟାଗରୁ ବୋମା କାଢ଼ି ଫିଙ୍ଗୁଛନ୍ତି। ଏହା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ ମହିଳାଜଣକ ରାସ୍ତାର ମଝିରେ ଅଟକି ଯାଉଛନ୍ତି। ଏହା ପରେ ନିଜ ବ୍ୟାଗରୁ ବୋମା ବାହାର କରି ଶୀଘ୍ର ସିଆରପିଏଫ କ୍ୟାମ୍ପ ଆଡକୁ ଫିଙ୍ଗୁଛନ୍ତି। ପୁଲିସ କହିଛି ଯେ ଏହି ବୋମାଟି ସୁରକ୍ଷା ଶିବିର ବାହାରେ ପଡିଛି ଏବଂ ଏଥିରେ କାହାର ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ପୁଲିସ ଏହା ମଧ୍ୟ କହିଛି ଯେ ଘଟଣାର କିଛି ସମୟ ପରେ ଏହି ଅଞ୍ଚଳକୁ ସବୁ ଦିଗରୁ ଘେରାଉ କରାଯାଇଥିଲା।

ସିସିଟିଭି ଆଧାରରେ ମହିଳାଙ୍କୁ ଚିହ୍ନଟ କରାଯାଇଛି ଏବଂ ତାଙ୍କୁ ଖୋଜିବା ପାଇଁ ଏକ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। କଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ତାଙ୍କୁ ଶୀଘ୍ର ଗିରଫ କରାଯିବ।

ସମ୍ବନ୍ଧିତ ଖବର