ସିବିଆଇ ଟାର୍ଗେଟ‌େର ବିରୋଧୀ ଦଳ: ମମତାଙ୍କୁ ଘେରିବା ଲାଗି ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ମହାମେଣ୍ଟ କରି କେନ୍ଦ୍ରରେ ବିଜେପି ସରକାରକୁ ପରାସ୍ତ କରିବା ଲାଗି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଉଦ୍ୟମ ଚଳାଇଥିବା ବେଳେ ତାଙ୍କୁ ଘେରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଗତକାଲି ପଶ୍ଚିମ ବଙ୍ଗ ଫିଲ୍ମ ନିର୍ମାଣ କଂପାନୀ ଏସଭିଏଫର ମୁଖ୍ୟ ଶ୍ରୀକାନ୍ତ ‌େମାହତାଙ୍କୁ ସିବିଆଇ ଗିରଫ କରିଛି। ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲି ସହ ସଂପର୍କ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତେବେ ତୃଣମୂଳ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସହ ତାଙ୍କର ସଂପର୍କ ଥିବାରୁ ସେମାନଙ୍କୁ ମଧ୍ୟ ଟାଣିବା ଲାଗି ପ୍ରସ୍ତୁତି ଚାଲିଥିବା କୁହାଯାଉଛି। ତୃଣମୂଳ କଂଗ୍ରେସର ମୁଖପତ୍ର ଜାଗୋ ବଙ୍ଗଳା ପାଇଁ ଶ୍ରୀକାନ୍ତ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ସେ ମମତା ବାନାର୍ଜୀଙ୍କ ପେଣ୍ଟିଂ ମଧ୍ୟ କିଣିଥିଲେ। ତୃଣମୂଳ କଂଗ୍ରେସ ପାଇଁ କାମ କରୁଥିବା ଶ୍ରୀକାନ୍ତଙ୍କ ଜରିଆରେ ମମତା ଓ ତାଙ୍କ ପାଖ ଲୋକ ପାଖରେ ପହଂଚିବା ଲାଗି ସିବିଆଇ ଚକ୍ରାନ୍ତ ଚଳାଇଛି ବୋଲି ଜଣେ ତୃଣମୂଳ କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ତାଙ୍କ ପାର୍ଟି ଓ ନେତାମାନଙ୍କୁ ହଇରାଣ କରିବା ଲାଗି ଏହା ଏକ ଷଡ଼ଯନ୍ତ୍ର। ଏସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ କଂଗ୍ରେସ ନେତା କହିଛନ୍ତି ଯେ ପୁରୁଣା ମ‌ାମାଲାରେ ବିରୋଧୀ ଦଳଙ୍କୁ ଫସାଇବା ଲାଗି କେନ୍ଦ୍ର ସରକାର ସିବିଆଇକୁ ଅସ୍ତ୍ର କରିଛନ୍ତି। ସିବିଆଇ ଏହାର ଅଭିଯାନ ଉତ୍ତର ପ୍ରଦେଶରୁ ଆରମ୍ଭ କରି ତିନି ଦିନ ତ‌େଳ ହରିଆଣା ଦେଇ ଗତକାଲି ପଶ୍ଚିମ ବଙ୍ଗରେ ପହଂଚିଛି। ଗତ ସପ୍ତାହ ଉତ୍ତର ପ୍ରଦେଶର ୧୪ଟି ସ୍ଥାନରେ ସିବିଆଇ ଚଢ଼ାଉ କରିବା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂହ ଯାଦବଙ୍କୁ ସମନ୍ କରିଛି। ୭ ବର୍ଷ ପୁରୁଣା ଖଣି ଆବଣ୍ଟନ ମାମଲାରେ ତାଙ୍କୁ ଏହି ସମନ ହୋଇଛି। ରାଜ୍ୟରେ ବିଜେପିକୁ ସଫା କରିବା ଉଦ୍ଦେଶ୍ୟରେ ମାୟ‌ାବତୀଙ୍କ ବିଏସପି ସହିତ ଅଖିଳେଶ ମେଣ୍ଟ କରିବା ସମୟ‌େର ସିବିଆଇର ଏହି କାର୍ଯ୍ୟାନୁଷ୍ଠାନ ସଂସ୍ଥାର ଉଦ୍ଦେଶ୍ୟ ନେଇ ସନ୍ଦେହ ସୃଷ୍ଟି କରିଛି। ଅଖିଳେଶ କଟାକ୍ଷ କରି କହିଛନ୍ତି ‌େଯ କିଏ କେତୋଟି ଆସନରେ ଲଢ଼ିବେ ଏସଂପର୍କରେ ଏବେ ସିବିଆଇକୁ କହିବାକୁ ପଡ଼ିବ।

ଏହାକୁ ନେଇ ହଟଚମଟ ଚାଲିଥିବା ବେଳେ ତିନି ଦିନ ତଳେ ହରିଆଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡାଙ୍କ ଘର ଓ ବିଭିନ୍ନ ସଂସ୍ଥା ଉପରେ ସିବିଆଇ ଚଢ଼ଉ କରିଛି। ୧୫ ବର୍ଷର ଏକ ପୁରୁଣା ମାମଲାରେ ତାଙ୍କୁ ପଚରାଉଚରା କରିବା ଲାଗି ସିବିଆଇ ସମନ୍ କରିବ ବୋଲି ସୂଚନା ଦେଇଛି। ହୁଡା ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁରଗାଓଁରେ ବେଆଇନ ଭାବେ ଜମି ଅଧିଗ୍ରହଣ ହୋଇଥିଲା ବୋଲି ଅଭିଯୋଗ ହୋଇଛି। ତେବେ ୧୫ ବର୍ଷ ପରେ ସିବିଆଇର କାହିଁକି ନିଦ ଭାଙ୍ଗିଲା ଏବଂ ଏତେ ଦିନ କଣ କରୁଥିଲା ବୋଲି କଂଗ୍ରେସ ନେତାମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର