ସିସିଏସ ପେନ୍‌ସନ୍‌ ନିୟମାବଳୀ, ୧୯୭୨ରେ ସଂଶୋଧନ : ଚାକିରିର ୭ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲେ ମିଳିବ ୫୦% ବର୍ଦ୍ଧିତ ପେନ୍‌ସନ୍‌

୧ ଅକ୍ଟୋବରରୁ ନୂଆ ନିୟମ

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନ୍‌ସନ୍‌ ) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତବ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନ୍‌ସନ୍‌ ଦିଆଯାଇଥାଏ । ସରକାରୀ ଚାକିରିରେ ସର୍ବନିମ୍ନ ୭ ବର୍ଷ ପୂରଣ କରିଥିଲେ ପାରିବାରିକ ପେନ୍‌ସନ୍‌ ଶେଷ ଦରମାର ୫୦% ବର୍ଦ୍ଧିତ ଦରରେ ୧୦ ବର୍ଷର ଅବଧି ଲାଗି ଦିଆଯାଇଥାଏ;ଏହାପରେ ପାରିବାରିକ ପେନ୍‌ସନ୍‌ ଶେଷ ଦରମାର ୩୦% ହାରରେ ପ୍ରଦାନ କରାଯାଇଥାଏ । ତେବେ ଚାକିରି କରିବାର ୭ ବର୍ଷ ମଧ୍ୟରେ ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ , ତା’ହେଲେ ତାଙ୍କ ପରିବାରକୁ ୩୦% ହାରରେ ପାରିବାରିକ ପେନ୍‌ସନ୍‌ ମିଳିଥାଏ । ଏପରି କ୍ଷେତ୍ରରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନସନ ପାଇବା ଲାଗି ଯୋଗ୍ୟ ହୋଇନଥାନ୍ତି ।

କେନ୍ଦ୍ର ସରକାର ଏହାକୁ ହୃଦ୍‌ବୋଧ କରିବା ସହିତ ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା କର୍ମଚାରୀଙ୍କ ପରିବାର ପାଇଁ ବର୍ଦ୍ଧିତ ହାରରେ ପାରିବାରିକ ପେନ୍‌ସନ୍‌ର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନ୍‌ସନ୍‌) ନିୟମାବଳୀ, ୧୯୭୨ର ନିୟମ ୫୪ରେ ସଂଶୋଧନ କରିଛନ୍ତି । ଏ ସଂକ୍ରାନ୍ତରେ ୧୯ ସେପ୍ଟେମ୍ବର, ୨୦୧୯ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସଂଶୋଧିତ ନିୟମ ୫୪ ଅନୁଯାୟୀ, ଚାକିରିରେ ଯୋଗଦେବାର ୭ ବର୍ଷ ମଧ୍ୟରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ନିକଟ ସମ୍ପର୍କୀୟ ମଧ୍ୟ ୧୦ ବର୍ଷର ଅବଧି ଲାଗି ଶେଷ ଦରମାର ବର୍ଦ୍ଧିତ ୫୦% ହାରରେ ପାରିବାରିକ ପେନ୍‌ସନ୍‌ ପାଇପାରିବେ ।

ଉପରୋକ୍ତ ସଂଶୋଧନ ଆଗାମୀ ଅକ୍ଟୋବର ୧ରୁ ଲାଗୁହେବ। ତେବେ ଏହି ତାରିଖର ୧୦ ବର୍ଷ ପୂର୍ବରୁ ୭ ବର୍ଷର କାର୍ଯ୍ୟକାଳ ପୂରଣ କରି ନପାରି ପ୍ରାଣ ହରାଇଥିବା ସରକାରୀ କର୍ମଚାରୀଙ୍କ ପରିବାର ମଧ୍ୟ ୧୦ ବର୍ଷ ଲାଗି ବର୍ଦ୍ଧିତ ହାରରେ ପାରିବାରିକ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

ଚାକିରିରେ ଯୋଗଦେବାର ୭ ବର୍ଷ ମଧ୍ୟରେ ଦୁର୍ଭାଗ୍ୟଜନକଭାବେ ମୃତ୍ୟୁବରଣ କରୁଥିବା କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବାହିନୀ (ସିଏପିଏଫ) କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ପରିବାର ଏହି ସଂଶୋଧିତ ସୁବିଧାର ଲାଭ ପାଇପାରିବେ।

ସମ୍ବନ୍ଧିତ ଖବର