ନକଲି ଟିକାକୁ ନେଇ କେନ୍ଦ୍ରର ଚେତାବନୀ, ଚିହ୍ନଟ ପାଇଁ କୌଶଳ ବତାଇଲେ

ନୂଆଦିଲ୍ଲୀ: ନକଲି କୋଭିସିଲ୍‌ଡ ଟିକା ଅନ୍ତର୍ଜାତୀୟ ବଜାରରେ ବିକ୍ରି ହେଉଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା (ଡବ୍ଲୁଏଚ୍‌ଓ) ଉଦ୍‌ବେଗ ପ୍ରକାଶ କରିବା ପରେ କେନ୍ଦ୍ର ସରକାର ଏ ସମ୍ପର୍କରେ ରାଜ୍ୟଗୁଡ଼ିକୁ ସତର୍କ କରାଇବା ସହ ଏହି ନକଲି ଟିକାକୁ କିପରି ଚିହ୍ନିବ ସେ ନେଇ ସୂଚନା ଦେଇଛନ୍ତି। ଭାରତରେ ପ୍ରଚଳିତ କୋଭିସିଲ୍‌ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି ଟିକା ନିର୍ମାତାମାନଙ୍କ ସହ ପରାମର୍ଶ କରି ସରକାର ଅସଲି ଟିକାର ରଙ୍ଗ, ଲେବଲ ଆଦି ପରିମାପକ (ପାରାମିଟର)ଗୁଡ଼ିକ ବିଷୟରେ ଅବଗତ କରାଇଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣପୂର୍ବ ଏସିଆ ଓ ଆଫ୍ରିକାରେ ନକଲି କୋଭିସିଲ୍‌ଡ ଟିକା ବିକ୍ରି ହେଉଥିବାର ଅନେକ ରିପୋର୍ଟ ପ୍ରକାଶ ପାଇଥିଲା। ଆମ ଦେଶରେ ମଧ୍ୟ ନକଲି ଟିକା ବିକ୍ରି ହେଉଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଗତ ମାସରେ କହିଥିଲେ ଯେ ଅଭିଯୋଗ ଉପରେ ତଦନ୍ତ ଚାଲିଛି ଏବଂ ସତ୍ୟ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି, ଭାରତରେ ବର୍ତ୍ତମାନ ତିନି ପ୍ରକାର ଟିକା ଦିଆଚାଲିଛି ଏବଂ ଆଗକୁ ଜାଇଡସ କାଡିଲା ଟିକା ସମେତ ଆଉ ତିନି ପ୍ରକାର ଟିକା ଆସିବ। ଗତ ଜାନୁଆରି ୧୬ରୁ ଟିକା ଦିଆ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୮ କୋଟି ହିତାଧିକାରୀଙ୍କୁ ଟିକା ଡୋଜ୍ ଦିଆ ସରିଲାଣି ଏବଂ ଗତ ଶନିବାର ଗୋଟିଏ ଦିନରେ ୬୨.୨୫ ଲକ୍ଷ ଡୋଜ୍ ଟିକା ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର