କରୋନା ସଂକ୍ରମଣ ବୃଦ୍ଧି ହେବାରୁ ସ୍ୱାଧୀନତା ଦିବସ ପାଳନ ସମୟରେ ଭିଡ଼ରୁ ଦୂରେଇ ରହିବାକୁ କହିଲା କେନ୍ଦ୍ର

ନୂୂଆଦିଲ୍ଲୀ: ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ୱାଧୀନତା ଦିବସ ପାଳନ ସମୟରେ ବିରାଟ ସମାବେଶରୁ ଦୂରେଇ ରହିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କହିଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ପରିଷ୍କାର କରିବା ପାଇଁ ମଧ୍ୟ କେନ୍ଦ୍ର ଲୋକଙ୍କୁ ଅନୁରୋଧ କରିଛି।

ଏହି ସମୟରେ, ଅନେକ ରାଜ୍ୟ ମାସ୍କକୁ ବାଧ୍ୟତାମୂଳକ କରିବା ସହିତ କୋଭିଡ-୧୯ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ସରକାର ଏହି ସପ୍ତାହରେ ମାସ୍କ ପିିନ୍ଧିବାକୁ ବାଧ୍ୟତାମୂଳକ କରି କହିଛନ୍ତି ଯେ ଏହି ଆଦେଶ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ହେବ।

ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା ଗୁରୁବାରଠାରୁ କିଛି ବୃଦ୍ଧି ପାଇ ସାଢ଼େ୧୬ ହଜାର ଉପରେ ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୫୬୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୯ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୬,୫୬୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୨,୨୩,୫୫୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୪୯ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୬,୯୨୮ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୮,୦୫୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୩୫,୫୫,୦୪୧। ଏହାଛଡ଼ା, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୩,୫୩୫ ଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର