ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ପଦକ, ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ । ଏବେ ସ୍ଥଳ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି ଲେଫ୍ଟନାଣ୍ଟ ଜେନାରାଲ ଚଣ୍ଡିପ୍ରସାଦ ମହାନ୍ତି । ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ ସହ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେନାରେ ନିଜ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ରାଷ୍ଟ୍ରୀୟ ଇଣ୍ଡିଆନ୍‌ ମିଲିଟାରି କଲେଜ୍‌, ଡେରାଡୁନ୍‌, ନ୍ୟାସନାଲ୍‌ ଡିଫେନ୍‌ସ ଏକାଡେମି, ଖଡକୱାସଲା ଏବଂ ଇଣ୍ଡିଆନ୍‌ ମିଲିଟାରି ଏକାଡେମି, ଡେରାଡୁନରୁ ସଫଳତା ପୂର୍ବକ ନିଜର ଶିକ୍ଷା ଓ ତାଲିମ ଶେଷ କଲାପରେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍‌ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତ କରାଯାଇଥିଲା। ନିଜର ଦୀର୍ଘ ଚାରି ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ଜେନେରାଲ୍‌ ଭାବେ ଅତ୍ୟନ୍ତ ଦାୟିତ୍ୱ ସମ୍ପର୍ଣ୍ଣ ଭାବେ ଦାୟିତ୍ୱ ତୁଲାଇବା ସହ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସିଥିଲେ।

ଜମ୍ମୁ-କଶ୍ମୀରରେ ଏବଂ ପରେ ଉତ୍ତର ପୂର୍ବରେ ନିୟନ୍ତ୍ରଣ ରେଖାରେ ନିୟୋଜିତ ବାଟାଲିୟନର ବ୍ରିଗେଡ୍‌ କମାଣ୍ଡର ଭାବେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ ରହିବା ସହ ଅନ୍ୟମାନଙ୍କ ପାଇଁ ଉହାହାରଣ ପାଲଟିଛି। ଚୀନ୍‌ ସହ ସୃଷ୍ଟି ହୋଇଥିବା ଡୋକଲାମ ବିବାଦ ପରେ ସିକ୍କିମ୍‌ ଆଧାରିତ ତ୍ରିଶକ୍ତି କର୍ପସକୁ ନିର୍ଦ୍ଦେଶ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଲେଫଟନାଣ୍ଟ ଜେନେରାଲ୍‌ ଚଣ୍ଡିପ୍ରସାଦ ମହାନ୍ତି। ଯୋଧପୁର ସବ୍‌ ଏରିଆର ଜଣେ ମେଜର ଜେନେରାଲ୍‌ ଭାବରେ ଏବଂ ଲେଫଟନାଣ୍ଟ ଜେନେରାଲ୍‌ ଭାବରେ ଉତ୍ତର ଭାରତର ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଯୋଗଦାନ ରହିଥିଲା।

ସମ୍ବନ୍ଧିତ ଖବର