ନୂଆଦିଲ୍ଲୀ: ଆସନ୍ତା ୨୮ରେ ନୂତନ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ତାମିଲନାଡୁର ଥିରୁବଦୁୁଥୁରାଇ ଆଧୀନାମ (ମଠ)ର ମୁଖ୍ୟ ପୁରୋହିତଙ୍କ ବିଶେଷ ଅତିଥି ଭାବରେ ଉପସ୍ଥିତ ରହିବେ | ସେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜଦଣ୍ଡ ‘ସେଙ୍ଗୋଲ’କୁ ଦେବେ | ତେବେ ମଦୁରାଇ ଆଧୀନାମର ୨୯୩ତମ ମୁଖ୍ୟ ପୁରୋହିତ ଶ୍ରୀ ହରିହର ଦେଶିକା ସ୍ୱାମୀଗଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମଗ୍ର ବିଶ୍ୱରୁ ସମ୍ମାନ ମିଳିଛି ଏବଂ ଦେଶର ସମସ୍ତେ ତାଙ୍କ ପାଇଁ ଗର୍ବିତ। ସେ ଏହା ମଧ୍ୟ କହିଛନ୍ତି ଯେ ୨୦୨୪ ମସିହାରେ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବରେ ଫେରିବା ଉଚିତ୍। ସ୍ୱାମୀଗଲ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ଏମିତି ଜଣେ ନେତା ଯିଏ ବିଶ୍ୱସ୍ତରୀୟ ପ୍ରଶଂସା ପାଇଛନ୍ତି। ସେ ଲୋକଙ୍କ ପାଇଁ ଭଲ କାମ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କୁ ୨୦୨୪ରେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ପଡିବ ଏବଂ ଲୋକଙ୍କୁ ମାର୍ଗଦର୍ଶନ କରିବାକୁ ପଡିବ। ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ। କାରଣ ସମଗ୍ର ବିଶ୍ୱର ନେତାମାନେ ଆମର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଛନ୍ତି । ସେ କହିଛନ୍ତି ମୁଁ ନୂତନ ସଂସଦ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ତାଙ୍କୁ ‘ସେଙ୍ଗୋଲ’ ଦେବି । ଏହା ହେଉଛି ସେହି ସେଙ୍ଗୋଲ ଯାହା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ୧୪ ଅଗଷ୍ଟ ରାତିରେ ବହୁ ନେତାଙ୍କ ଉପସ୍ଥିତିରେ ତାଙ୍କ ବାସଭବନରେ ଗ୍ରହଣ କରାଯାଇଥିଲା।
ଉଲ୍ଲେଖ ଥାଉ କି ଉଦଘାଟନୀ କାର୍ଯ୍ୟକ୍ରମ ଅନୁଯାୟୀ ସକାଳ ୭ଟାରୁ ପୂଜା ଆରମ୍ଭ ହେବ। ସକାଳ ୭:୩୦ରୁ ୮:୩୦ ପର୍ଯ୍ୟନ୍ତ ହୋମ ଏବଂ ପୂଜା ହେବ | ପୂଜାପାଠ ପାଇଁ ମଣ୍ଡପ ଗାନ୍ଧୀ ମୂର୍ତ୍ତି ନିକଟରେ ସ୍ଥାପନ କରାଯିବ। ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ରହିବେ। ଏହା ପରେ ସକାଳ ୮ଟା ୩୦ ରୁ ୯ଟା ମଧ୍ୟରେ ଲୋକସଭା ଭିତରେ ସେଙ୍ଗୋଲ ସ୍ଥାପନ କରାଯିବ। ଏହି ସମୟରେ ତାମିଲନାଡୁର ମଠରୁ ଆସିଥିବା ୨୦ ଜଣ ସନ୍ଥ ଉପସ୍ଥିତ ରହିବେ | ସକାଳ ୯ଟା ୩୦ରେ ପ୍ରାର୍ଥନା ସଭା ହେବ, ଏହି ପ୍ରାର୍ଥନା ସଭାରେ ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ମହାନ ପଣ୍ଡିତ ଏବଂ ସାଧୁସନ୍ଥ ଉପସ୍ଥିତ ରହିବେ | ସକାଳେ ପୂଜା ଓ ହୋମ ପରେ, ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ | ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଜାତୀୟ ସଂଗୀତ ସହିତ ଆରମ୍ଭ ହେବ। ଏହି ଅବସରରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ ମଧ୍ୟ କରାଯିବ | ଏହା ପରେ ରାଜ୍ୟସଭାର ଉପାଧ୍ୟକ୍ଷ, ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢିବେ | ଏହି ଅବସରରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଧ୍ୟ ସମ୍ବୋଧିତ କରିବେ। ଏହି ଅବସରରେ ଏକ ମୁଦ୍ରା ଏବଂ ଷ୍ଟାମ୍ପ ମଧ୍ୟ ପ୍ରକାଶ ପାଇବ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ ଏବଂ ଏହା ସହ ସେ ନୂତନ ସଂସଦ ଗୃହର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ଅପରାହ୍ନ ପ୍ରାୟ ୨ଟା ରୁ ୨ଟା ୩୦ ମଧ୍ୟରେ ସମାପନ ହେବ |