ମସୁଦ୍ ପ୍ରସଙ୍ଗରେ ନରମିଲା ଚୀନ୍: ମାମଲାର ସମାଧାନ ପାଇଁ ସୂଚନା ଦେଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ପୁଲଵାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରକୁ ଜାତିସଂଘର ସୁରକ୍ଷା ପରିଷଦ ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ବିରୋଧ କରିଥିବା ପାକିସ୍ତାନର ପରମ ମିତ୍ର ଚୀନ୍ ଏବେ ନରମ ଆଭିମୁଖ୍ୟ ପୋଷଣ କରିଛି। ଏହି ମାମଲାର ତୁରନ୍ତ ସମାଧାନ ହୋଇଯିବ ବୋଲି ନୂଆଦିଲ୍ଲୀ ସ୍ଥିତ ଚୀନ୍ ରାଷ୍ଟ୍ରଦୂତ ଲୁଓ ଜାଓହୁଇ ଆଜି ଇଙ୍ଗିତ କରି ଭାରତକୁ ଭରସା ଦେଇଛନ୍ତି। ଜାତିସଂଘରେ ଫ୍ରାନ୍ସ-ବ୍ରିଟେନ୍-ଆମେରିକା ଦ୍ବାରା ଆଗତ ପ୍ରସ୍ତାବରେ ଚାରିଦିନ ତଳେ ବୈଷୟିକ ରୋକ ଲଗାଇ ସାରା ବିଶ୍ବ ସମୁଦାୟ ଦ୍ବାରା ସମାଲୋଚିତ ହୋଇଥିବା ଚୀନ୍ ଏପରି ୟୁଟର୍ଣ୍ଣ କରି ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ କରିବ ବୋଲି ପରୋକ୍ଷ ଇସାରା ଦେଇଛି। ସୂଚନା ଥାଉ କି, ୪୦ ଜଣ ଭାରତୀୟ ଯବାନଙ୍କ ମୃତ୍ୟୁର କାରଣ ସାଜିଥିବା ପୁଲଵାମା ଆତ୍ମଘାତୀ ଆକ୍ରମଣ ପରେ ସାରା ବିଶ୍ବ ଭାରତର ଆତଙ୍କବାଦ ବିରୋଧୀ ଅଭିଯାନରେ ନିଜକୁ ସାମିଲ କରିବା ପାଇଁ ଆଗେଇ ଆସିଥିଲେ। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସମସ୍ତେ କଟୁ ସମାଲୋଚନା କରିବା ସହ ତାହାକୁ ଏକଘରିକିଆ କରିବା ଆରମ୍ଭ କରିଦେଇଥିଲେ। ତେବେ କୁଖ୍ୟାତ ମସୁଦକୁ ବିଶ୍ବସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରିବା ଲାଗି ଗତ ୨୭ ତାରିଖରେ ଫ୍ରାନ୍ସ, ବ୍ରିଟେନ ଏବଂ ଆମେରିକା ଜାତିସଂଘ ସୁରକ୍ଷା ପରିଷଦରେ ମିଳିତ ପ୍ରସ୍ତାବ ଆଣିଥିଲେ। ମାତ୍ର ସୁରକ୍ଷା ପରିଷଦର ଅନ୍ୟତମ ସ୍ଥାୟୀ ସଦସ୍ୟ ଚୀନ୍ ଉକ୍ତ ପ୍ରସ୍ତାବର ପୁଙ୍ଖାନୁପୁଙ୍କ ତର୍ଜମା କରିବା ଲାଗି ଛଅ ମାସ ସମୟ ମାଗି ଏଥିରେ ବୈଷୟିକ ରୋକ ଲଗାଇଥିଲା। ପରୋକ୍ଷରେ ତାହା ମିତ୍ର ରାଷ୍ଟ୍ର ପାକିସ୍ତାନକୁ ସୁହାଇବା ସହ ମସୁଦକୁ ମଧ୍ୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥିଲା। ଚୀନର ଏଭଳି ଆଭିମୁଖ୍ୟରେ ଗଭୀର ଅସନ୍ତୋଷ ଜାହିର କରିଥିବା ଭାରତ ଆଲୋଚନା ମାଧ୍ୟମରେ ଚୀନ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବ ବୋଲି ଆଶାବାଦୀ ଥିଲା। ତେବେ ମସୁଦ ପ୍ରସଙ୍ଗର ଏକ ଦାୟିତ୍ବସଂପନ୍ନ ସମାଧାନ ପାଇଁ ଏଥି ସହ ଜଡ଼ିତ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା କରିବାକୁ ଚୀନ୍ ରାଷ୍ଟ୍ରଦୂତ ଜାଓହୁଇ ଆଜି ଦେଇଥିବା ପ୍ରସ୍ତାବ ଭାରତ ପାଇଁ ଆଶ୍ବସ୍ତି ଆଣିଛି।

ସମ୍ବନ୍ଧିତ ଖବର