କୋଭିଡ୍-୧୯ ବିଷୟରେ ଆମେରିକାର ’୨୪ଟି ମିଥ୍ୟା’ର ପ୍ରମାଣ ଦେଲା ଚୀନ୍

ନୂଆଦିଲ୍ଲୀ: ନୂତନ କରୋନାଭାଇରସ୍ ସଂକ୍ରମଣର ମୁକାବିଲା କ୍ଷେତ୍ରରେ ଚୀନ୍‌ର ଭୂମିକା ବିଷୟରେ କେତେକ ଅଗ୍ରଣୀ ଆମେରିକୀୟ ରାଜନେତା କରିଥିବା ‘୨୪ଟି ହାସ୍ୟାସ୍ପଦ ଅଭିଯୋଗ’ର ପ୍ରମାଣ ଦେଇଛି ଚୀନ୍।

୩୦ ପୃଷ୍ଠାସମ୍ବଳିତ ୧୧୦୦୦ ଶବ୍ଦ ଥିବା ଏହି ଆଲେଖ୍ୟଟି ଶନିବାର ରାତିରେ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ପୋଷ୍ଟ୍‌ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନିୟାଙ୍ଗ୍ କହିଛନ୍ତି, ଆମେରିକାର ବୈଦେଶିକ ସଚିବ ପମ୍ପିଓ, ବୈଦେଶିକ ବିଭାଗ ମୁଖପାତ୍ର ଏବଂ ଅନ୍ୟମାନେ ସାକ୍ଷାତ୍‌କାର ଦେବା ସମୟରେ କୋଭିଡ୍-୧୯ ବିଷୟରେ ଚୀନ୍‌କୁ ସମାଲୋଚନା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସଠିକ୍ ତଥ୍ୟ ଦେଇନାହିଁ। କୋଭିଡ୍-୧୯ ସଂକ୍ରାନ୍ତ ଆମର ସ୍ଥିତି ବିଷୟରେ ଆମେ ବରାବର କହିଆସିଛୁ। କିନ୍ତୁ, ଆମେରିକା ବାରମ୍ବାର କରୁଥିବା ମିଥ୍ୟା ଅଭିଯୋଗଗୁଡ଼ିକ ବିଷୟରେ ଆମେ ବିଶ୍ବବାସୀଙ୍କୁ ପ୍ରମାଣ ଦେବାକୁ ସ୍ଥିର କରିଛୁ।

Image Source: WION

ଏହି ଆଲେଖ୍ୟର ଉପକ୍ରମରେ ଊନବିଂଶ ଶତାବ୍ଦୀର ଆମେରିକୀୟ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ଉକ୍ତି ଉଲ୍ଲେଖ କରାଯାଇଛି। ଲିଙ୍କନ୍‌ଙ୍କ କହିବା ଅନୁସାରେ, କିଛି ଲୋକଙ୍କୁ ଚିରଦିନ ପାଇଁ ବୁଦ୍ଦୁ ବନାଇ ଦିଆଯାଇପାରେ, ଆଉ କିଛି ଲୋକଙ୍କୁ କିଛି ଦିନ ପାଇଁ ବୁଦ୍ଦୁ ବନାଇ ଦିଆଯାଇ ପାରେ, କିନ୍ତୁ ସମସ୍ତଙ୍କୁ ଚିରକାଳ ବୁଦ୍ଦୁ ବନାଇ ହେବ ନାହିଁ।

ଗଣମାଧ୍ୟ ଖବର ଦୃଷ୍ଟାନ୍ତ ଦେଇ ଏହି ଆଲେଖ୍ୟରେ କୁହାଯାଇଛି ଯେ ଊହାନ୍‌ରେ ପ୍ରଥମ ସଂକ୍ରମଣ ଚିହ୍ନଟ ହେବା ପୂର୍ବରୁ ଆମେରିକୀୟମାନେ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଥିଲେ। କିନ୍ତୁ, ଏହାକୁ ସାବ୍ୟସ୍ତ କରିବାକୁ କୌଣସି ପ୍ରମାଣ ନାହିଁ।

ଏହି ଭୂତାଣୁକୁ ଜାଣିଶୁଣି ସୃଷ୍ଟି କରାଯାଇଛି ବା ଊହାନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିରୁ ଲିକ୍ ହୋଇଛି ବୋଲି ଆମେରିକା କରୁଥିବା ଦ୍ବିତୀୟ ଅଭିଯୋଗ ମଧ୍ୟ ମିଥ୍ୟା। ଏହି ଭୂତାଣୁ ଯେ ମାନବ ଦ୍ବାରା ସୃଷ୍ଟି, ତାହାର ପ୍ରମାଣ ନାହିଁ। ଏହାଛଡ଼ା ନୂଆ କରୋନାଭାଇରସ୍ ସୃଷ୍ଟି କରାଇବା ଲାଗି ଏହି ପ୍ରତିଷ୍ଠାନର ସାଧ୍ୟ ନାହିଁ।

ଏହାଛଡ଼ା ଠିକଣା ସମୟରେ କିଭଳି ଚୀନ୍ ଏହି ଭୂତାଣୁ ସଂକ୍ରାନ୍ତରେ ବିଭିନ୍ନ ତଥ୍ୟ ଦେଇଛି, ସେ ପ୍ରସଙ୍ଗ ମଧ୍ୟ ଏହି ଆଲେଖ୍ୟରେ ରହିଛି।

ସମ୍ବନ୍ଧିତ ଖବର