ଚୀନ୍‌ ଶୀର୍ଷ ବୈଜ୍ଞାନିକଙ୍କ ଦାବି: ଖୁବ୍‌ ଶୀଘ୍ର ବିଶ୍ବକୁ ସୁରକ୍ଷିତ ଟିକା ଦେବ ଚୀନ୍‌

ଚୀନ୍‌ ଟିକାରୁ ସୃଷ୍ଟି ଆଣ୍ଟିବଡ଼ି ୬ ମାସ ପର୍ଯ୍ୟନ୍ତ ରହୁଛି

ବେଜିଂ: ଚୀନ୍‌ରେ ପରୀକ୍ଷଣ ଆଧାରରେ ଯେଉଁମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରୟୋଗାତ୍ମକ ଟିକା ଦିଆଯାଇଥିଲା ସେମାନଙ୍କ ଶରୀରରେ ପ୍ରାୟ ୬ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ କୋଭିଡ୍‌-୧୯ ଏଣ୍ଟିବଡ଼ି ରହିଛି। ଚୀନ୍‌ର ଜଣେ ଶୀର୍ଷ ବୈଜ୍ଞାନିକ ଏହା କହିଛନ୍ତି ଏବଂ କରୋନାଭାଇରସ୍‌ ବିରୋଧରେ ଚୀନ୍‌ ହିଁ ପ୍ରଥମେ ପ୍ରଭାବଶାଳୀ ଟିକା ଆରମ୍ଭ କରିପାରିବ ବୋଲି ତାଙ୍କର ଦୃଢ଼ ଆତ୍ମବିଶ୍ବାସ ରହିଥିବା ସେ କହିଛନ୍ତି। ଟିକାର କ୍ଲିନିକାଲ୍‌ ପରୀକ୍ଷଣ ପ୍ରକ୍ରିୟାରେ ସାମିଲ ଥିବା ଭଲ୍ୟୁଣ୍ଟିୟରଙ୍କ ଶରୀରରେ ଉଚ୍ଚ ପରିମାଣର ଏଣ୍ଟିବଡି ଥିବା ଜଣାପଡ଼ିଛି। ଏହା ମଧ୍ୟ ବହୁ ଦିନ ଧରି କରୋନା ଭାଇରସ୍‌ ବିରୋଧରେ ଲଢ଼ିବାପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ବୋଲି କୁହାଯାଉଛି। ଚାଇନିଜ୍‌ ସେଣ୍ଟର୍‌ ଫର ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ର ମୁଖ୍ୟ ବୈଜ୍ଞାନିକ ଜେଙ୍ଗ୍‌ ଗୁଆଙ୍ଗ କହିଛନ୍ତି, ଯଦିଓ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳକୁ ଭଲଭାବେ ଆକଳନ କରାଯାଇନି କିନ୍ତୁ, ଚୀନ୍‌ ହିଁ ପ୍ରଥମେ ବିଶ୍ବକୁ ଏକ ପ୍ରଭାବଶାଳୀ ଟିକା ଦେଇପାରିବ ବୋଲି ସେ କହିଛନ୍ତି। ଚୀନ୍‌ରେ ୧୦ ଟି ଟିକାର ମାନବୀୟ ପରୀକ୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର