୨୦୧୯ ଲୋକସଭା ନିର୍ବାଚନ ହେବ ସମଗ୍ର ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ: ଇଣ୍ଟରନ୍ୟାସନାଲ ପିସ୍‌ ଥିଙ୍କ୍‌ ଟ୍ୟାଙ୍କ୍‌

ନୂଆଦିଲ୍ଲୀ: ଦେଶରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ହେବ ଦେଶର ଇତିହାସରେ ସବୁଠାରୁ ବ୍ୟୟବହୁଳ ନିର୍ବାଚନ। ଏପରିକି ବିଶ୍ୱର ଅନ୍ୟ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନରେ ଏତେ ପରିମାଣର ଅର୍ଥ ପୂର୍ବରୁ କେବେ ବ୍ୟୟ ହୋଇ ନଥିବ। ଏପରି ଭବିଷ୍ୟବାଣୀ କରିଛନ୍ତି ଆମେରିକୀୟ ଥିଙ୍କ୍‌ ଟ୍ୟାଙ୍କ୍‌। ଭାରତର ୫୪୩ ଆସନ ବିଶିଷ୍ଟ ଲୋକସଭାର ଆଗାମୀ ନିର୍ବାଚନ ପାଇଁ ନିର୍ବାଚନ କମିଶନ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ତାରିଖ ଘୋଷଣା କରିବାକୁ ଥିବା ବେଳେ ଆମେରିକୀୟ ନିର୍ବାଚନ ବିଶାରଦମାନଙ୍କର ଏ ପ୍ରକାରର ଆକଳନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

୨୦୧୬ରେ ହୋଇଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ୬.୫ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିବା ବେଳେ ୨୦୧୪ରେ ଭାରତରେ ହୋଇଥିବା ଲୋକସଭା ନିର୍ବାଚନରେ ଖର୍ଚ୍ଚ ହୋଇଥିଲା ୫ ବିଲିୟନ ଆମେରିକୀୟ ଡଲାର। ତେବେ, ୨୦୧୯ ଲୋକସଭା ନିର୍ବାଚନରେ ଏହାର ଦୁଇଗୁଣ ପାଖାପାଖି ଖର୍ଚ୍ଚ ହେବ। ଏପରିକି ଏହି ନିର୍ବାଚନ ସମଗ୍ର ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନର ମାନ୍ୟତା ସୁଦ୍ଧା ପାଇବ ବୋଲି କହିଛନ୍ତି ଇଣ୍ଟରନ୍ୟାସନାଲ ପିସ୍‌ ଥିଙ୍କ୍‌ ଟ୍ୟାଙ୍କ୍‌ର ସିନିୟର ଫେଲୋ ମିଲନ ବୈଷ୍ଣବ।

ଭାରତର ରାଜନୀତି, ନିର୍ବାଚନ ଓ ବିଶେଷ କରି ନିର୍ବାଚନୀ ଖର୍ଚ୍ଚ ଓ ରାଜନୈତିକ ଦଳଗୁଡ଼ିକର ଅର୍ଥନୀତି ଉପରେ ଗଭୀର ଧାରଣା ରଖିଥିବା ଓ ନିଜର ପୂର୍ବ ଆକଳନର ସଫଳତା ପାଇଁ ବିଶେଷ ମାନ୍ୟତା ପ୍ରାପ୍ତ କରିଥିବା ବୈଷ୍ଣବ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଏହାର ବିରୋଧୀ ପ୍ରାର୍ଥୀମାନଙ୍କ ମଧ୍ୟରେ ବ୍ୟବଧାନ ବହୁତ କମ୍‌ ରହିବ। ସେଥିପାଇଁ ଶେଷ ମୁହୂର୍ତ୍ତରେ ନିର୍ବାଚନର ଫଳାଫଳକୁ ନିଜ ସପକ୍ଷକୁ ନେବା ପାଇଁ ଉଭୟ ପ୍ରାର୍ଥୀ ଓ ଦଳ ବିପୁଳ ପରିମାଣର ଅର୍ଥ ନିର୍ବାଚନରେ ଖର୍ଚ୍ଚ କରିବେ। ତେଣୁ, ଏପରିସ୍ଥିତିରେ କେବଳ ମାତ୍ର ଅର୍ଥ ଉପରେ ଜୋର ଦେଇ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଲଢ଼ିବା ସହ ଫଳାଫଳକୁ ନିଜ ସପକ୍ଷରେ ନେବା ପାଇଁ ଉଦ୍ୟମ କରିବେ।

ଫଳରେ ୨୦୧୯ ଲୋକସଭାରେ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ ହେବ ଯେ ଭାରତର ଇତିହାସରେ ପୂର୍ବରୁ ଅନୁଷ୍ଠିତ ହୋଇ ଯାଇଥିବା କୌଣସି ବି ନିର୍ବାଚନରେ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ ହୋଇ ନଥିବ। ୨୦୧୪ ଲୋକସଭା ନିବାଚନରେ ୫ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ଏହା ଦ୍ୱଗୁଣିତ ହୋଇ ଖର୍ଚ୍ଚ ୧୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ। ଏପରିକି ଭାରତର ୨୦୧୯ ଲୋକସଭା ନିର୍ବାଚନ ସମଗ୍ର ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ବୋଲି ସୁଦ୍ଧା ମାନ୍ୟତା ପାଇବ ବୋଲି କହିଛନ୍ତି ଇଣ୍ଟରନ୍ୟାସନାଲ ପିସ୍‌ ଥିଙ୍କ୍‌ ଟ୍ୟାଙ୍କ୍‌ର ସିନିୟର ଫେଲୋ ମିଲନ ବୈଷ୍ଣବ।

ସମ୍ବନ୍ଧିତ ଖବର