କରୋନା ଟିକା ନେବାକୁ ପୁଲିସ ବାବୁଙ୍କୁ ଆସିଲା ମେସେଜ, ଖୋଲୁଖୋଲୁ କଟିଗଲା ଟଙ୍କା

ରିବା: କରୋନା ଟିକାର ଦ୍ଵିତୀୟ ଡୋଜ ନେବାକୁ ମୋବାଇଲକୁ ମେସେଜ ଆସିଲା, ଆଉ ମେସେଜ ଖୋଲି ତଥ୍ୟ ପୂରଣ କରି କ୍ଲିକ କରିବାରୁ ଆକାଉଣ୍ଟରୁ କଟିଗଲା ଟଙ୍କା | ମଧ୍ୟପ୍ରଦେଶର ରିବାରେ ଏମିତି ଏକ ଘଟଣା ଘଟିଛି | ଆଉ ଜଣେ ପୁଲିସ କନେଷ୍ଟବଳ ଏଭଳି ଏକ ଠକେଇର ଶିକାର ହୋଇଛନ୍ତି | ପୁଲିସ କନେଷ୍ଟବଳ ଶତ୍ରୁଘ୍ନ ପଟେଲଙ୍କ କହିବା ମୁତାବକ କରୋନା ଟିକାର ଦ୍ଵିତୀୟ ଡୋଜ ନେବାକୁ ତାଙ୍କ ମୋବାଇଲକୁ ଏକ ମିଛ ମେସେଜ ଆସିଥିଲା | ଆଉ ଏହି ମେସେଜ ତଳେ ଦିଆଯାଇଥିବା ଲିଙ୍କରେ ତଥ୍ୟ ପୂରଣ କରିବାକୁ କୁହାଯାଇଥିଲା |

କନେଷ୍ଟବଳ ଜଣକ ସାଇବର ଠକଙ୍କ ଠକାମୀ ବାବଦରେ ବୁଝି ନପାରି ସମସ୍ତ ତଥ୍ୟ ଦେଇଥିଲେ, ଏହା ପରେ କ୍ଲିକ କରିବାରୁ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା କଟିଯାଇଥିଲା | ଶତ୍ରୁଘ୍ନ ମଧ୍ୟପ୍ରଦେଶ ରାଜ୍ୟ ଆର୍ମଡ଼ ଫୋର୍ସର ଜଣେ କନେଷ୍ଟବଳ ହୋଇଥିବାବେଳେ ଟଙ୍କା କଟିବା ପରେ ସେ ବ୍ୟାଙ୍କକୁ ଯାଇ ଅଭିଯୋଗ କରିଥିଲେ | ତେବେ ବ୍ୟାଙ୍କ ତାଙ୍କ କଥା ଶୁଣିନଥିଲା |

ଏହା ପରେ ଶତ୍ରୁଘ୍ନ ରିବା ସାଇବର ସେଲରେ ଅଭିଯୋଗ କରିଥିଲେ | ତେବେ ଏଯାଏଁ ସାଇବର ଠକଙ୍କ ବାବଦରେ କିଛି ଜଣାପଡିନାହିଁ | ଏହି ଘଟଣା ବାବଦରେ ଜଣାପଡିବା ପରେ ଭୋପାଳ ପୁଲିସ ହେଡକ୍ୱାର୍ଟର ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି | ମୋବାଇଲକୁ କରୋନା ଟିକା ନେବା ପାଇଁ କୌଣସି ମେସେଜ ଆସିଲେ ଏହି ଲିଙ୍କ ନ ଖୋଲିବାକୁ କୁହାଯାଇଛି | ଯଦି କରୋନା ଟିକା ନେବାକୁ ହୁଏ ତେବେ ସ୍ଥାନୀୟ ମେଡିକାଲ ବା ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରିବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର