ଖାଦ୍ୟ ଗ୍ରହଣ କରୁନଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ସିଦ୍ଧୁ, ନିର୍ଦ୍ଦିଷ୍ଟ ଡାଏଟ୍ ଆବଶ୍ୟକ ବୋଲି କଲେ ଦାବି

ଚଣ୍ଡିଗଡ଼: ୧୯୮୮ ‘ରୋଡ୍‌ ରେଜ୍‌’ ମାମଲାରେ ସୁପ୍ରିମ୍‌ କୋର୍ଟ ଗୁରୁବାର ଦିନ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେବା ପରେ ଏବେ ଜେଲରେ ଅଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ତେବେ ଜେଲକୁ ଯିବା ପରଠାରୁ ସେ ଖାଦ୍ୟ ଗ୍ରହଣ କରୁନଥିବାରୁ ଆଜି ସକାଳେ ତାଙ୍କୁ ଡାକ୍ତରଖାନା ନିଆଯାଇଛି।

ଜାତୀୟ ଗଣମାଧ୍ୟମ ଏନଡିଟିଭି ଅନୁଯାୟୀ, ଏକ ବର୍ଷ ଜେଲ ଦଣ୍ଡ ଭୋଗୁଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ପଟିଆଲାର ରଜୀନ୍ଦ୍ର ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ଏକ ଡାକ୍ତରୀ ଟିମ୍ ପୁଙ୍ଖାନୁପୁଙ୍ଖ ଭାବେ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବ। ସ୍ବାସ୍ଥ୍ୟ ଖରାପ ହେବା ପରେ ସିଦ୍ଧୁ ଜେଲରେ ନିଜ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଖାଦ୍ୟ ଦାବି କରିଛନ୍ତି। ଏବେ ଡାକ୍ତର ସିଦ୍ଧୁଙ୍କ ପାଇଁ କେଉଁ ନିର୍ଦ୍ଦିଷ୍ଟ ଡାଏଟ୍ ଆବଶ୍ୟକ ତାହା ଦେଖିବେ ଏବଂ ତା’ପରେ ଏହାର ରିପୋର୍ଟ ପଟିଆଲା କୋର୍ଟରେ ଦାଖଲ କରିବେ।

ndtv

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୭, ୧୯୮୮ ରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁ ପଟିଆଲାର ଶେରାନୱାଲା ଗେଟ୍ କ୍ରସିଂ ନିକଟ ରାସ୍ତା ମଝିରେ ନିଜ କାର ପାର୍କ କରିଥିଲେ। ଏହି ସମୟରେ ୬୫ ବର୍ଷିୟ ଗୁରୁନାମ ସିଂ ନିଜ କାର ନେଇ ସେହି ବାଟ ଦେଇ ଯାଉଥିବା ବେଳେ ରାସ୍ତା ମଝିରେ କାର ଥିବା ଦେଖି ସିଦ୍ଧୁଙ୍କୁ କାର ହଟାଇବାକୁ କହିଥିଲେ। ଏହା ଶୁଣି ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ଗୁରୁନାମଙ୍କୁ ମାଡ଼ ମାରିଥିଲେ। ଏହା ସହ ଗୁରୁନାମ ଯେମିତି ହସ୍ପିଟାଲ ଯାଇପାରିବେ ନାହିଁ, ସେ ନେଇ ସିଦ୍ଧୁ ଗୁରୁନାମଙ୍କ କାର୍ ଚାବି ଛଡ଼ାଇ ନେଇଥିଲେ। ଏହା ପରେ ଗୁରୁନାମଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ ଏବେ ସିଦ୍ଧୁଙ୍କୁ ଦଣ୍ଡ ମିଳିଛି।

ସମ୍ବନ୍ଧିତ ଖବର