ଜନମତର ଦୁରୁପଯୋଗ କରୁଛି ବିଜେପି ! ୧୫ ଅକ୍ଟୋବରରୁ ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ବୈଠକରେ ସାମିଲ ହେଲେ ନାହିଁ ରାହୁଲ

ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥା ପ୍ରସଙ୍ଗରେ କଂଗ୍ରେସ ଦଳ ଆସନ୍ତା ମାସରୁ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଦେଶର ଆର୍ଥିକ ସ୍ଥିତି ଗମ୍ଭୀର ଥିବା ବେଳେ ସରକାର ଏହାକୁ ଅଣଦେଖା କରି ଯେଭଳି ପ୍ରତିଶୋଧ ରାଜନୀତିରେ ମାତିଛନ୍ତି ତାହା ଅତ୍ୟନ୍ତ ବିପଜ୍ଜନକ ଏବଂ ଜନମତର ଦୁରୁପଯୋଗ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ଏହି ପ୍ରସଙ୍ଗରେ ଦଳ ୧୫ ଅକ୍ଟୋବରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି ଆଜି ଦଳୀୟ ନେତାଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସୋନିଆ ଘୋଷଣା କରିଛନ୍ତି। ଏହି ଆନ୍ଦୋଳନ ମାଧ୍ୟମରେ ବିଜେପିର ମୁଖା ଖୋଲି ଦିଆଯିବ ବୋଲି ସେ କହିଛନ୍ତି। ଦଳ ମୁଖ୍ୟାଳୟରେ କଂଗ୍ରେସ ସାଧାରଣ ସଂପାଦକ, ବିଭିନ୍ନ ପ୍ରଦେଶ ଅଧ୍ୟକ୍ଷ, ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଏହି ଅବସରରେ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ କହିଥିଲେ ସରକାର ଅର୍ଥନୀତିକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ଏବଂ ସମାଧାନ ପନ୍ଥା ଗ୍ରହଣ କରିପାରୁ ନାହାନ୍ତି।

ବୈଠକରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମିଲ ହୋଇନଥିଲେ। ବୈଠକ ପରେ ଏ ନେଇ ସଫେଇ ଦେଇ ପୂର୍ବ କେନ୍ଦ୍ରମନ୍ତ୍ରୀ ଆର୍‌ପିଏନ୍‌ ସିଂହ କହିଥିଲେ ଯେ ଏହି ବୈଠକରେ ସାଧାରଣ ସଂପାଦକ, ପ୍ରଭାରୀ, ପ୍ରଦେଶ ଅଧ୍ୟକ୍ଷ ଏବଂ କଂଗ୍ରେସ ବିଧାୟକ ଦଳ ନେତାମାନଙ୍କ ପାଇଁ ଥିଲେ। ଏଥିପାଇଁ କେବଳ ସେମାନଙ୍କୁ ହିଁ ଡକାଯାଇଥିଲା ବୋଲି ସେ କହିଛନ୍ତି। ବୈଠକରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତା ଜାହିର କରିଥିଲେ।

ସମ୍ବନ୍ଧିତ ଖବର