ଏସ୍‌ସି-ଏସ୍‌ଟିଙ୍କ ପଦୋନ୍ନତିରେ ସଂରକ୍ଷଣ ମାମଲା: ମାପକାଠି ଧାର୍ଯ୍ୟ କରିବା ପାଇଁ ସୁପ୍ରିମ୍‌ କୋର୍ଟ ମନା କଲେ

ନୂଆଦିଲ୍ଲୀ : ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଉପଜାତିଙ୍କ ପଦୋନ୍ନତିରେ ସଂରକ୍ଷଣ ନିମନ୍ତେ କୌଣସି ମାପକାଠି ଧାର୍ଯ୍ୟ କରିପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଜଷ୍ଟିସ୍ ନାଗେଶ୍ବର ରାଓଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ ଯେ, ଏସ୍‌ସି/ଏସ୍‌ସିଙ୍କ ଅପର୍ଯ୍ୟାପ୍ତ ପ୍ରତିନିଧିତ୍ବ ନେଇ ରାଜ୍ୟଗୁଡ଼ିକ ତଥ୍ୟ ସଂଗ୍ରହ କରିବାକୁ ବାଧ୍ୟ। କୋର୍ଟ କହିଲେ ଯେ, ଉପସ୍ଥାପିତ ଯୁକ୍ତିଗୁଡ଼ିକୁ ଆମେ ୬ଟି ପଏଣ୍ଟରେ ବିଭକ୍ତ କରିଛୁ। ସେଥିମଧ୍ୟରୁ ଗୋଟିଏ ହେଉଛି ମାପଦଣ୍ଡ (ୟାର୍ଡଷ୍ଟିକ୍)। ଜରନେଲ ସିଂହ ଓ ନାଗରାଜ ମାମଲାରେ ଆମେ କହିଛୁ ଯେ ଆମେ କୌଣସି ମାପଦଣ୍ଡ ଧାର୍ଯ୍ୟ କରିପାରିବୁ ନାହିଁ। ତେବେ ଏ ବାବଦରେ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟଗୁଡ଼ିକ ବାଧ୍ୟ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଲେ ଯେ, ଏସ୍‌ସି/ଏସ୍‌ଟିଙ୍କ ଅପର୍ଯ୍ୟାପ୍ତ ପ୍ରତିନିଧିତ୍ବ ନେଇ ତଥ୍ୟ ସଂଗ୍ରହ ସମଗ୍ର ଚାକିରିକାଳ ବା ଶ୍ରେଣୀ ଅନୁସାରେ ନ କରି ବରଂ ଯେଉଁ ପଦବିକୁ ପଦୋନ୍ନତି ପାଇଁ ବିଚାର କରାଯାଉଛି, ସେହି ପଦବିର ଗ୍ରେଡ୍ ଅନୁସାରେ କରାଯିବା ଦରକାର। ଆନୁପାତିକ ପ୍ରତିନିଧିତ୍ବ ବା ପର୍ଯ୍ୟାପ୍ତତା ନେଇ ରାଜ୍ୟ ସରକାରଗୁଡ଼ିକ ବିଚାର କରିବେ ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପଦୋନ୍ନତିରେ ସଂରକ୍ଷଣ ସମ୍ପର୍କିତ ମାମଲାର ଶୁଣାଣି ଶେଷ କରି ଗତ ଅକ୍ଟୋବର ୨୬ ତାରିଖରେ ରାୟକୁ ସଂରକ୍ଷିତ ରଖିଥିଲେ।

କେନ୍ଦ୍ର ସରକାରଙ୍କ ତରଫରୁ ଉପସ୍ଥିତ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଥିଲେ ଯେ ଅନେକ ବର୍ଷ ହେଲା ଏସ୍‌ସି/ଏସ୍‌ଟିଙ୍କୁ ମୁଖ୍ୟସ୍ରୋତରୁ ବାହାରେ ରଖାଯାଇଛି। ତେଣୁ ଦେଶର ସ୍ବାର୍ଥରେ ସେମାନଙ୍କୁ ସମାନ ସୁବିଧା ଦେବା ନିମନ୍ତେ ସଂରକ୍ଷଣ ଆକାରରେ ଆମେ ଏକ ଇକ୍ବାଲାଇଜର (ସମୀକାରକ)ର ବ୍ୟବସ୍ଥା କରିବା ଉଚିତ। କୋର୍ଟ ଏପରି ଗୋଟିଏ ମାନଦଣ୍ଡ ପ୍ରସ୍ତୁତ କରିବା ଦରକାର ଯାହାକୁ ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ କେନ୍ଦ୍ର ତଥା ରାଜ୍ୟଗୁଡ଼ିକ ଅନୁସରଣ କରିବେ। କିନ୍ତୁ କୋର୍ଟ କୌଣସି ମାପକାଠି ଧାର୍ଯ୍ୟ କରିପାରିବେ ନାହିଁ କହି ଏ ଦାୟିତ୍ବ ରାଜ୍ୟଗୁଡ଼ିକ ଉପରେ ଛାଡ଼ିଦେଇଛନ୍ତି।

ସମ୍ବନ୍ଧିତ ଖବର