ଅରୁଣାଚଳ ପ୍ରଦେଶରେ ଆଜି ବି ନିର୍ବାଚନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି ‘କୁଲି’

ଇଟାନଗର: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଦେଶର ଚାରିଆଡେ ନେତାମାନେ ଅଣ୍ଟା ଭିଡ଼ି ସାରିଛନ୍ତି। ନିର୍ବାଚନ ଆୟୋଗ ଏବଂ ସ୍ଥାନୀୟ ପ୍ରଶାସନ ଏଥିପ ପାଇଁ ବ୍ୟାପକ ପ୍ରସ୍ତୁତ ଥିବା ବେଳେ ଉତ୍ତର ପୂର୍ବାଂଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ମାତ୍ର ଅରୁଣାଚଳ ପ୍ରଦେଶର ଅଧିକାଂଶ ଅଂଚଳ ପାହାଡିଆ ଥିବାରୁ ନିର୍ବାଚନ ସମୟରେ ମତଦାନ ସଂପର୍କୀତ ଜିନିଷ ପତ୍ର ନେବା ଆଣିବା କରିବା ସାମାନ୍ୟ ଅସୁବିଧା ହୋଇଥାଏ। ଏହି ସମସ୍ୟାର ସମାଧାନ କୁଲିମାନେ ହିଁ କରିଥାନ୍ତି।

ଅରୁଣାଚଳ ପ୍ରଦେଶରେ ବ୍ରିଟିଶ ଶାସନ ସମୟରେ ଆକ୍‌ଜଲରୀ ଲେବର କୋର (ଏଏଲ୍‌ସି) ଗଠନ କରାଯାଇଥିଲା ଏବଂ ଆଜି ବି ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। କୋର୍‌ର କୁଲି ମାନେ ଦୂରଦୂରାନ୍ତର ପାର୍ବତ୍ୟାଂଚଳରେ ମତଦାନ ସାମଗ୍ରୀ, ଇଭିଏମ୍‌ ମେସିନ୍‌ ଏବଂ ଅନ୍ୟ ଜିନିଷକୁ ମୁଣ୍ଡରେ ବୋହି ନେଇଥାନ୍ତି।

ବ୍ରିଟିଶ ଶାସନ କାଳରେ ଜିନିଷ ନେବା ଆଣିବା ପାଇଁ ଏଏଲ୍‌ସି ଗଠନ କରାଯାଇ ଥିଲା। ବର୍ଷ ୧୯୮୭ରେ ଅରୁଣାଚଳ ପ୍ରଦେଶକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମଳିଥିଲା। ଏହା ପରେ ସ୍ଥାୟୀ ଭାବରେ ଏଏଲ୍‌ସି ସଦସ୍ୟ ନିଯୁକ୍ତି ବନ୍ଦ କରି ଦିଆଯାଇଥିଲା। ଏବେ କେବଳ ଅସ୍ଥାୟୀ ଆଧାରରେ ଏହି ପଦ ପାଇଁ ନିଯୁକ୍ତି କରାଯାଉଛି।

ରାଜ୍ୟର ଦୁର୍ଗମ ଅଂଚଳକୁ ଏଏଲ୍‌ସିର କୁଲିମାନେ ମୁଣ୍ଡରେ ଜିନିଷ ବୋହି ନେଇଥାନ୍ତି। ବିଶେଷ ଭାବରେ ନିର୍ବାଚନ ସମୟରେ ଏମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। ଏହି କୁଲିମାନେ ସାଧାରଣ ଜନତା ଏବଂ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରିଥାନ୍ତି। ବିପରୀତ ପାଣିପାଗ, ପାହାଡିଆ ସ୍ଥାନ ଏବଂ ଦୁର୍ଗମ ଅଂଚଳକୁ ଖାତିର ନକରି କୁଲିମାନେ କାମ କରିଥାନ୍ତି। ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ରାଜ୍ୟରେ ନିର୍ବାଚନ ସୂଚାରୁ ରୂପେ ଶେଷ ହୋଇଥାଏ।

ସ୍ୱାଧୀନତାର ୭୨ ବର୍ଷ ପରେ ଏଏଲ୍‌ସିର ଗୁରୁତ୍ୱକୁ ଅବହେଳା କରାଯାଇ ପାରିବ ନାହିଁ। କାରର ରାଜ୍ୟର ଅନେକ ଜିଲ୍ଲାରେ ଦୁର୍ଗମ ଅଂଚଳ ରହିଛି, ଯେଉଁଠାକୁ ଗମାନଗମନ ନାହିଁ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କାଙ୍କି ଦରାଙ୍ଗ କୁହନ୍ତି, ସର୍ବସାଧାରଣ ବିତରଣ ପ୍ରଣାଳୀ ଭଳି ବିତରିତ କରାଯାଉଥିବା ସାମାନ ନେବା ଆଣିବା କରିବା, ନୂଆ ପ୍ରଶାସନିକ କେନ୍ଦ୍ର ଖୋଲିବା, ପ୍ରକୃତିକ ବିପର୍ଯ୍ୟୟ ଏବଂ ନିର୍ବାଚନ ସମୟରେ ଏଏଲ୍‌ସି ମାନଙ୍କ ସେବା ଦରକାର ଅଛି।

ନିର୍ବାଚନ କାର୍ଯ୍ୟାଳୟ ୨୦୧୪ରେ ନିର୍ବାଚନ ସମୟରେ ୨୧୦୦ କୁଲିଙ୍କୁ ନିଯୁକ୍ତି ଦେଇଥିଲା ଏବଂ ୨୦୦୯ ବିଧାନସଭା ନିର୍ବାଚନ ସମୟରେ ୧୪୦୦ କୁଲି ସେବାରେ ଲାଗିଥିଲେ। ଏଥର ଅଧିକ କୁଲିଙ୍କୁ ନିଯୁକ୍ତି ଦିଆଯିବ।

ସମ୍ବନ୍ଧିତ ଖବର