ଦିଲ୍ଲୀରେ ଲକ୍ଷେ ଟପିଲା: ପ୍ଲାଜ୍‌ମା ଦାନ ପାଇଁ ‌କେଜ୍ରିୱାଲ୍‌ଙ୍କ ଅନୁରୋଧ

ଦେଶରେ କରୋନା ସଂକ୍ରମଣ ମାମଲା ୭ ଲକ୍ଷ ଛୁଇଁବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୭ ଲକ୍ଷ ଛୁଇଁବ। ଗତ ୨୪ ଘଣ୍ଟ‌ା ମଧ୍ୟରେ ଦେଶରେ ପୁଣି ୨୪ ହଜାର ୨୪୮ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୪୨୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୧୯ ହଜାର ୬୯୩କୁ ବୃଦ୍ଧି ପାଇଛି। ଭାରତ ଗତକାଲି ରୁଷ୍‌କୁ ଟପି ସଂକ୍ରମଣ ମାମଲାରେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ କ‌ରୋନା ସଂକ୍ରମଣ ମାମଲା ଆଜି ୧ ଲକ୍ଷ ଟପିଯାଇଛି। ରାଜଧାନୀରେ କରୋନା ସଂକ୍ରମଣ ମାମଲା ୧ ଲକ୍ଷ ଟପିବାପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦିଲ୍ଲୀ ବାସିନ୍ଦାଙ୍କୁ ଭୟଭୀତ ନହେବାପାଇଁ କହିଛନ୍ତି। ତେବେ କରୋନା ରୋଗୀଙ୍କ ଆରୋଗ୍ୟକୁ ବଢ଼ାଇବାପାଇଁ କେଜ୍ରିୱାଲ୍‌ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କୁ ପ୍ଲାଜ୍‌ମା ଡୋନେଟ୍‌ ପାଇଁ ଅନୁରୋଧ କରିଛନ୍ତି।

ଦିଲ୍ଲୀରେ ୭୨ ହଜାରରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି ବୋଲି କେଜ୍ରିୱାଲ୍‌ କହିଛନ୍ତି। ସେହିପରି ଦିଲ୍ଲୀରେ ମୋଟ୍‌ ୧୫ ହଜାର ବେଡ୍‌ରୁ କେବଳ ୫,୧୦୦ ବେଡ୍‌ ଅକ୍ତିଆର ହୋଇଛି ଏବଂ କରୋନା ରୋଗୀଙ୍କ ପାଇଁ ଏବେ ବେଡ୍‌ର କୌଣସି ଅଭାବ ନାହିଁ ବୋଲି କେଜ୍ରିୱାଲ୍‌ ଆଶ୍ବସ୍ତ କରିଛନ୍ତି । ଦିଲ୍ଲୀରେ ଏବେ ପ୍ରତିଦିନ ୨୦ ହଜାରରୁ ୨୪ ହଜାର ଟେଷ୍ଟ୍‌ କରାଯାଉଛି। ଟେଷ୍ଟିଂ ବଢ଼ିବାରୁ ସଂକ୍ରମଣ ବି ବଢ଼ିଲା ବୋଲି କେଜ୍ରିୱାଲ୍‌ କହିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ଭାରତରେ ନୂଆ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବିଶ୍ବର ଅନ୍ୟ ପ୍ରଭାବିତ ରାଷ୍ଟ୍ରମାନଙ୍କ ତୁଳନାରେ ବଢ଼ି ଚାଲିଛି। ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଗତ ସପ୍ତାହକ ମଧ୍ୟରେ ଉଭୟ କରୋନା ମୃତ୍ୟୁସଂଖ୍ୟା ଓ ସକ୍ରିୟ ମାମଲା ଅଧିକ ରହିଛି। ତେଲେଙ୍ଗାନା ଏବଂ ତାମିଲନାଡ଼ୁରେ ବି ସଂକ୍ରମଣ ବଢ଼ୁଛି। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଏବେ ପଜିଟିଭ୍‌ ହାର ୯.୯୮ ପ୍ରତିଶତ ରହିଛି ଏବଂ ମୋଟ୍‌ ୬୦.୮୫ ପ୍ରତିଶତ ରୋଗୀ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି। ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀରେ କ୍ରମାଗତ ଭାବେ ସଂକ୍ରମଣ ବଢ଼ି ଚାଲିଛି। ତେବେ ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ହାରାହାରିଠାରୁ ଆରୋଗ୍ୟ ହାର ଅଧିକ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର