କରୋନା ଆତଙ୍କ: ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ଟପିଲା

୯୩ ଦେଶକୁ ବ୍ୟାପିଲା ପୁଣି ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ

ହଂକଂ: ବିଶ୍ବବ୍ୟାପୀ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି ଏବଂ ଭାଇରସ୍‌ ୯୩ ଦେଶକୁ ବ୍ୟାପିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ସୂତ୍ରରୁ ଜଣାପଡ଼ିଛି। ସମୁଦାୟ ୧୦୦,୧୬୨ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସୁଦ୍ଧା ୩,୪୦୬ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। କେବଳ ଚୀନ୍‌ରେ ମୃତ୍ୟୁସଂଖ୍ୟା ୩,୦୪୨। ଆଜି ଡବ୍ଲ୍ୟୁଏଚ୍ଓ ପୁଣିଥରେ କରୋନା ବ୍ୟାପିବା ନେଇ ଚେତାବନୀ ଦେବାସହ ଯୁଦ୍ଧକାଳୀନ ସ୍ଥିତିରେ ସବୁ ଦେଶ ଏହାର ମୁକାବିଲା କରିବାକୁ ଆହ୍ବାନ ଦେଇଛି।

ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦ ଟପିଲା, ୧୪ ଜଣଙ୍କ ମୃତ୍ୟୁ, ମୁକାବିଲା ପାଇଁ ୮୩୦ କୋଟି ଡଲାର ମଂଜୁର

ସବୁ ରାଷ୍ଟ୍ର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟପନ୍ଥା ଗ୍ରହଣ କଲେ ଏହି ବିଶାଳ ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ସମ୍ଭବ ହୋଇପାରିବ ବୋଲି ଡବ୍ଳ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଦାନମ୍‌ କହିଛନ୍ତି। ପ୍ରମୁଖ ରାଷ୍ଟ୍ରମାନଙ୍କରେ ସ୍ବାସ୍ଥ୍ୟ କର୍ମୀମାନେ ସଠିକ୍‌ ଭାବେ ଭାଇରସ୍‌ ନିୟନ୍ତ୍ରଣ କରୁଛନ୍ତି, ତେବେ କିଛି ଦେଶ ବିପଦ ବଢ଼ୁଥିବା ସତ୍ତ୍ବେ ସଠିକ୍‌ କାର୍ଯ୍ୟପନ୍ଥା ଗ୍ରହଣ କରିପାରୁ ନାହାନ୍ତି। ଏହି ବିଶାଳ ସଙ୍କଟର ମୁକାବିଲା ପାଇଁ ବିଶ୍ବସ୍ତରରେ ସମନ୍ବୟ ଜରୁରୀ ବୋଲି ଡବ୍ଲୁଏଚ୍‌ଓ କହିଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ୨୨୦ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୪ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋ‌ଇଛି। ଲୋକମାନଙ୍କୁ ସ୍ବତଃପ୍ରବୃତ୍ତ ଭାବେ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାରେ କରୋନା ମୁକାବିଲା ପାଇଁ ୮୩୦ କୋଟି ଡଲାର ମଂଜୁର କରିଛି।

ସମ୍ବନ୍ଧିତ ଖବର