ଆକ୍ରାନ୍ତ ସଂଖ୍ୟା ୧୦୭୧ରେ ପହଞ୍ଚିଲା: ୨୯ ମୃତ, ୯୯ ଜଣ ସଂକ୍ରମଣମୁକ୍ତ

ନୂଆଦିଲ୍ଲୀ: ବ୍ୟାପକ କଟକଣା ଏବଂ ଲକ୍‌ଡାଉନ୍‌ ସତ୍ତ୍ବେ ଦେଶରେ କରୋନା ଭାଇରସ୍‌ର ପ୍ରକୋପ ବଢ଼ି ବଢ଼ି ଚାଲିଛି। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧ରେ ପହଞ୍ଚିଛି। ଏଥିରୁ ୨୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୯ ଜଣ ଆକ୍ରାନ୍ତ କରୋନାରୁ ମୁକ୍ତ ହୋଇଛନ୍ତି। କେରଳ ଏବଂ ମହାରାଷ୍ଟ୍ରରେ ଏବେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସେଠାରେ କଟକଣା ଅଧିକ କଡ଼ାକଡ଼ି କରାଯିବା ସହ କରୋନା ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ବ୍ୟବସ୍ଥା ହୋଇଛି। ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ରାଜ୍ୟରେ ୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ୨୫ ଜଣ ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଟପିଯାଇଛି। ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। କର୍ଣ୍ଣାଟକରେ ୮୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ଉତ୍ତର ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି ଏବଂ ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂକ୍ରମଣ ଯୋଗୁଁ କାହାର ମୃତ୍ୟୁ ଘଟିନାହିଁ। ତେଲେଙ୍ଗାନାରେ ଆଜି ପର୍ଯ୍ୟନ୍ତ ୬୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ଜଣେ ଆରୋଗ୍ୟ ହୋଇଛନ୍ତି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଛୁଇଁଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଗୁଜରାଟରେ ୫୮ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ସେଥିରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ଆକ୍ରାନ୍ତ ସଂଖ୍ୟା ୫୭ରେ ପହଞ୍ଚିଛି ଏବଂ ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଫେରିଛନ୍ତି। ତାମିଲନାଡ଼ୁରେ ଆକ୍ରାନ୍ତ ସଂଖ୍ୟା ୫୦ରେ ପହଞ୍ଚିଛି ଏଠାରେ ୪ ଜଣ ସୁସ୍ଥ ହୋଇଛନ୍ତି। ହରିୟାଣାରେ ୩୩ ଏବଂ ପଂଜାବରେ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହରିୟାଣାରେ ୧୭ ଜଣ ସଂକ୍ରମଣମୁକ୍ତ ହୋଇଥିବା ବେଳେ ପଂଜାବରେ ମାତ୍ର ଜଣେ ଆରୋଗ୍ୟ ହୋଇଥିବା ରିପୋର୍ଟ ମିଳିଛି। ଚଣ୍ଡିଗଡ଼ରେ ଆଜି ସୁଦ୍ଧା ୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଛତିଶଗଡ଼ରେ ୭ ଜଣ, ପଶ୍ଚିମବଂଗରେ ୧୯ ଜଣ ଏବଂ ବିହାରରେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ବିହାରରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡରେ ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଗୋଆରେ ଏ ପର୍ଯ୍ୟନ୍ତ ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ହିମାଚଳ ପ୍ରଦେଶରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଆଣ୍ଡାମାନରେ ୯ ଜଣ ଆକ୍ରାନ୍ତ ଥିବା ବେଳେ ମଣିପୁର, ମିଜୋରାମ ଏବଂ ପୁଡୁଚେରୀରେ ଜଣେ ଲେଖାଏଁ ଆକ୍ରାନ୍ତ ‌ଅଛନ୍ତି।

ସମ୍ବନ୍ଧିତ ଖବର