ସଂକ୍ରମଣ ରୋକିବା ପାଇଁ ପ୍ରବାସୀ ଶ୍ରମିକଙ୍କ ଉପରେ ‘କେମିକାଲ ସ୍ପ୍ରେ’

ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଲକ୍ଷ୍ନୌ: ଦେଶବ୍ୟାପୀ ଏବେ ପ୍ରବାସୀ ଶ୍ରମିକ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି। କରୋନା ବିଶ୍ବ ମହାମାରୀ ପାଇଁ ଲକ୍‌ଡା‌ଉନ୍‌ ଘୋଷଣା ହୋଇଥିବାରୁ ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି। ଶ୍ରମିକମାନେ ଏକସଂଗରେ ବହୁ ସଂଖ୍ୟାରେ ନିଜ ନିଜ ରାଜ୍ୟକୁ ଫେରିବା‌ ଦ୍ବାରା ସଂକ୍ରମଣ ବ୍ୟାପିବା ଭୟ ବି ରହିଛି। ଗତକାଲି କେନ୍ଦ୍ର ସରକାର ଏନେଇ ରାଜ୍ୟମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଏବଂ ଜିଲ୍ଲାମାନଙ୍କରେ ସୀମା ସିଲ୍‌ କରିବାକୁ ସରକାର କହିଥିଲେ। ଆଜି ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବରେଲି ଜିଲ୍ଲାରେ କିଛି ପ୍ରବାସୀ ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ସଂକ୍ରମଣମୁକ୍ତ କରିବାପାଇଁ ସେମାନଙ୍କ ଉପରେ କେମିକାଲ ସ୍ପ୍ରେ କରାଯାଉଥିବା ଦେଖିବ‌ାକୁ ମିଳିଥିଲା।

ଦିଲ୍ଲୀରୁ ଫେରିଥିବା କିଛି ଶ୍ରମିକ ପରିବାର ସହ ରାସ୍ତା ଉପରେ ବସିଥିବା ବେଳେ ସେମାନଙ୍କ ଉପରେ ସ୍ପ୍ରେ କରାଯାଉଥିବା ଦେଖିବାକୁ ମିଳିଥିଲା। ମହମ୍ମଦ ଅଫଜଲ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଆମେ ପ୍ରାୟ ୫୦ ଜଣ ବସ୍‌ ନିକଟରେ ବସିଥିଲୁ ଏବଂ ଆମେ ଖାଦ୍ୟକୁ ଅପେକ୍ଷା‌ କରିଥିଲୁ। ଏହି ସମୟରେ କିଛି ବ୍ୟକ୍ତି ନିଜକୁ ସାନିଟାଇଜେସନ୍‌ ଟିମ୍‌ର ବୋଲି କହି ଆମ ଉପରେ ସ୍ପ୍ରେ କରିଥିଲେ। ଆମକୁ ସଂକ୍ରମଣମୁକ୍ତ କରିବାପାଇଁ ଏହା କରାଯାଉଛି ବୋଲି ସେମାନେ କହିଥିଲେ। ବରେଲି କୋଭିଡ-୧୯ ନୋଡାଲ ଅଫିସର୍‌ ଇନ୍‌ଚାର୍ଜ ଅଶୋକ ଗୌତମ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କୁ ସଂକ୍ରମଣମୁକ୍ତ କରିବାପାଇଁ କ୍ଲୋରିନ୍‌ ମିଶ୍ରିତ ଜଳରେ ଗାଧୋଇବା ବ୍ୟବସ୍ଥା କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ଦିଗରେ ଏହା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି। ଏହି ଘଟଣା ନେଇ ଜିଲ୍ଲା ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର