କରୋନାର ଭୟାନକ ରୂପ : ଆମେରିକାରେ ୨୪ ଘଣ୍ଟାରେ ୨ ହଜାର ମୃତ, ବିଶ୍ବବ୍ୟାପୀ ମୃତ୍ୟୁ ସଂଖ୍ୟା ୮୩ ହଜାର ଟପିଲା

ପାକିସ୍ତାନରେ ୩୨୫ ଜମାତୀ ଆକ୍ରାନ୍ତ, ବ୍ରିଟେନ୍‌ରେ ୬୨୦୦ ମୃତ

ୱାସିଂଟନ : ବିଶ୍ବବ୍ୟାପୀ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଏହା ୮୩ ହଜାର ଅତିକ୍ରମ କରିଯାଇଛି ଏବଂ ଆମେରିକା ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୨ ହଜାର ଲୋକଙ୍କ ମୃତ୍ୟୁ ନେଇ ହାହାକାର ସୃଷ୍ଟି ହୋଇଛି। ଏବେ ବିଶ୍ବରେ କରୋନାର କେନ୍ଦ୍ର ପାଲଟିଥିବା ଆମେରିକାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ଏ ପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଗଲାଣି।

ସ୍ବିଡେନ୍‌ରେ ୨୪ ଘଣ୍ଟାରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୬ ଶହ ଅତିକ୍ରମ କରିଯାଇଥିବା ଖବର ମିଳିଛି। ୧ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ପ୍ରାୟ ୮ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ପାକିସ୍ତାନର ଏକ ଜେଲ୍‌ରେ ୫୦ ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଦେଶରେ ୩୨୫ ଜଣ ଜମାତି କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ପାକିସ୍ତାନରେ ଚିକିତ୍ସା ପାଇଁ ସୁରକ୍ଷା ଉପକରଣ ଉପଲବ୍ଧ ନଥିବାରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ଲୋକେ କଟକଣାକୁ ଭୃକ୍ଷେପ କରୁନାହାନ୍ତି କି ସାମାଜିକ ଦୂରତ୍ବକୁ ମଧ୍ୟ ଗ୍ରହଣ କରୁନଥିବାରୁ ଆଗକୁ ପରିସ୍ଥିତି ଜଟିଳ ହେବା ଆଶଙ୍କା ରହିଛି।

ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୫୦ ହଜାରରେ ପହଞ୍ଚି ଯାଇଥିବାରୁ ତୁରନ୍ତ ବୈଶ୍ବିକ ରଣନୀତି ନିର୍ଦ୍ଧାରଣ କରି କାମ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଆହ୍ବାନ ଦେଇଛି। ବିଶ୍ବରେ କରୋନା ଭାଇରସ୍‌ ମହାମାରୀ ୮୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବାରୁ ଏବେ ବିଭିନ୍ନ ରାଷ୍ଟ୍ର ‘କର ବା ମର’ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା ୧୫ ହଜାର ଛୁଇଁବାକୁ ଯାଉଥିବା ବେଳେ ଇଟାଲିରେ ଆଜି ଏହା ୧୭ ହଜାର ୩୦୦ରେ ପହଞ୍ଚିଛି। ଫ୍ରାନ୍ସରେ ୧ ଲକ୍ଷ ୧୦ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଏଠାରେ ମୃତ୍ୟୁ ସଂଖ୍ୟା ୧୦ ହଜାର ୫ ଶହ ଛୁଇଁଲାଣି। କଠୋର କଟକଣା ଭିତରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଜର୍ମାନୀରେ ୧ ଲକ୍ଷ ୭ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷରେ ଇରାନରେ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଯାଇଛି। ବ୍ରିଟେନ୍‌ରେ ଏବେ ସ୍ଥିତି ଭୟାନକ ହେଲାଣି। ମୃତ୍ୟୁ ସଂଖ୍ୟା ୬ ହଜାର ୨ ଶହରେ ପହଞ୍ଚିଥିବା ବେଳେ ଏଠାରେ ୫୫ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ବେଲଜିୟମରେ ଆଜି ସୁଦ୍ଧା କରୋନାରେ ୨୩୦୦ ଲୋକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୭୫ରେ ପହଞ୍ଚିଥିବା ବେଳେ ଏଠାରେ ୫୮ ଲୋକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର