ଚାଇନାରୁ ଜୟପୁର ଆସିଥିବା ଦମ୍ପତି କରୋନାଭାଇରସ୍‌କୁ ନେଇ ବଖାଣିଲେ ଏଭଳି କଥା : ପୂରା ଦେଶ ନୁହେଁ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାପିଛି ସଂକ୍ରମଣ

ଭୁବନେଶ୍ୱର: ଚୀନରେ ରହୁଥିବା ଓଡ଼ିଆ ଦମ୍ପତି ମାନସ ବକ୍ସି ଓ ପ୍ରତିମା ସାହୁ ଘରକୁ ଫେରିବା ପରେ ମାରାତ୍ମକ କରୋନାଭାଇରସ୍‌କୁ ନେଇ ନିଜର ଅନୁଭୂତି ବଖାଣିଛନ୍ତି।

ଜୟପୁରର ବାସିନ୍ଦା ମାନସ ଜଣେ ବୈଜ୍ଞାନିକ ଭାବେ ଚାଇନାରେ କାମ କରନ୍ତି। ସେ ଅନେକ ବର୍ଷ ହେବ ଚାଇନାରେ ରହି ଆସିଥିବା ବେଳେ ବିବାହ ପରେ ନିଜ ପତ୍ନୀଙ୍କୁ ମଧ୍ୟ ଚାଇନା ନେଇ ସେଠାରେ ବସବାସ କରୁଛନ୍ତି। ସେ ପ୍ରଥମେ ଚାଇନା ରାଜଧାନୀ ବେଜିଂରେ ରହିଥିଲେ ଓ ପରେ ସାମେନ୍‌କୁ ଆସିଥିଲେ।   କିଛିଦିନ ତଳେ ଚାଇନିଜ ନ୍ୟୁ ଇୟର ସମୟରେ ଏହି ଦମ୍ପତି ଛୁଟିରେ ଘର ଜୟପୁରକୁ ବୁଲିବାକୁ ଆସିଥିଲେ। ଘରକୁ ଆସିଥିବା ସମୟରେ ଦୁହେଁ ଚଇନାର ଉହାନ୍‌ରେ ମରାତ୍ମକ କରୋନାଭାଇରସ୍‌ ସଂକ୍ରମଣ ହେବା ଖବର ପାଇଥିଲେ।

ଏହାକୁ ନେଇ ଦମ୍ପତି କହନ୍ତି, ‘ଫେବ୍ରୁଆରି ୯ରେ ଚାଇନା ଫେରିବାକୁ ଟିକେଟ କରିଥିଲୁ। କିନ୍ତୁ ସେଠାରେ କରୋନାଭାଇରସ୍‌ ବ୍ୟାପି ଥିବା ଜାଣିବାକୁ ପାଇବା ପରେ ସେ ଟିକେଟକୁ ବାତିଲ କରି ଦେଇଥିଲୁ। ଏହି ଭାଇରସ୍‌ ଯେଉଁ ଭଳି ଭାବେ ସଂକ୍ରମିତ ହେଉଥିଲା, ତାହା ଶୁଣିବା ପରେ ବହୁତ ଭୟରେ ଲାଗିଥିଲା। ଆଉ ଚାଇନା ଯାଇ ପାରିବୁ ନାହିଁ, ସେନେଇ ମଧ୍ୟ ଚିନ୍ତା ହୋଇଥିଲା। ପରେ ସେଠାରେ ରହୁଥିବା ସାଙ୍ଗମାନଙ୍କ ସହ ଯୋଗଯୋଗ କରିଥିଲୁ। ସେମାନେ ସାମେନ୍‌ରେ କରୋନା ନେଇ କୌଣସି ବିପଦ ନଥିବା କହିଛନ୍ତି।

ସେମାନେ କହିଥିଲେ ଆମେ ଯେଉଁ  ଅଞ୍ଚଳରେ ରହୁଛୁ ସେଠାରେ କରୋନାଭାଇରସ୍‌ରେ କୌଣସି ଭୟ ନାହିଁ। ତେଣୁ ମାର୍ଚ୍ଚ ୮ରେ ଟିକେଟ କରି ପୁଣି ଥରେ ଯିବାକୁ ପ୍ରସ୍ତୁତ ହୋଇଛୁ। ଉହାନରୁ ଏହି କରୋନାଭାଇରସ୍‌ ସଂକ୍ରମିତ ହୋଇଥିବା ହେତୁ ସେଠାରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗା ଯାଇଛି। ଆମେ ରହୁଥିବା ସ୍ଥାନରେ କରୋନାଭାଇରସ୍‌ ନେଇ ସେଭଳି କିଛି ନକରାତ୍ମକ ପ୍ରଭାବ ନାହିଁ। ଏହା ସତ୍ତ୍ୱେ ବି ସାମେନ୍‌ ଯିବା ପୂର୍ବରୁ ପୂରା ପ୍ରସ୍ତୁତି କରି ସାରିଛୁ। ବିଭିନ୍ନ ପ୍ରକାର ମାସ୍କ ସହିତ ପ୍ରତିଷେଧକ ଗ୍ରହଣ କରିବୁ।’

ସମ୍ବନ୍ଧିତ ଖବର