ସକ୍ରିୟ ମାମଲା ୨୪ ଲକ୍ଷ ଟପିଲା; ଲଗାତାର ୨ ଦିନ ଧରି ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା, ୨୪ ଘଣ୍ଟାରେ ୨୨୬୩ ମୃତ

ନୂଆଦିଲ୍ଲୀ : ଲଗାତାର ୨ ଦିନ ଧରି ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୩ ଲକ୍ଷରୁ ଅଧିକ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୨,୭୩୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨,୨୬୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୧,୬୨,୬୩,୬୯୫ ପହଞ୍ଚିଥିବା ବେଳେ ମୋଟ୍‌ ମୃତ୍ୟୁସଂଖ୍ୟା ୧,୮୫,୯୨୦ ରହିଛି। ଦିନକୁ ଦିନ କରୋନା ବିପଜ୍ଜନକ ହେବା ସହ ଦେଶରେ ସକ୍ରିୟ ମାମଲା ୨୪ ଲକ୍ଷ ଟପିଯାଇଛି। ମୋଟ୍‌ ସକ୍ରିୟ ମାମଲା ୨୪,୨୮,୬୧୬ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୪.୯୩ ପ୍ରତିଶତ। ଦେଶରେ ୮ ଦିନରେ ୨୦ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସଂକ୍ରମଣ ୧ କୋଟି ୪୦ ଲକ୍ଷରୁ ୫୦ ଲକ୍ଷ ହେବାପାଇଁ ୪ ଦିନ ଲାଗିଥିବାବେଳେ ୧କୋଟି ୫୦ ଲକ୍ଷରୁ ୬୦ ଲକ୍ଷ ହେବାପାଇଁ ଆଉ ୪ ଦିନ ଲାଗିଛି।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜରାଟରେ ନୂଆ ସଂକ୍ରମଣ ମାମଲାର ମୋଟ୍‌ ୭୫ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୬୭,୦୧୩ ମାମଲା ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ୭୭୩ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୩୪,୨୫୪, କେରଳରେ ୨୬,୯୯୫, ଦିଲ୍ଲୀ‌ରେ ୨୬,୧୬୯, କର୍ଣ୍ଣାଟକରେ ୨୫,୭୯୫, ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରୁ ୫୪.୧୫ ପ୍ରତିଶତ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେବଳ ମହାରାଷ୍ଟ୍ରରେ ୨୦.୧୪ ପ୍ରତିଶତ ନୂଆ ମାମଲା ରହିଛି। ଦିଲ୍ଲୀରେ ପଜିଟିଭ୍‌ ହାର ୩୬.୨୪ ପ୍ରତିଶତ ରହିଛି। ମେ’ ମଧ୍ୟଭାଗ ବେଳକୁ ଦେଶରେ ଦୈନିକ କରୋନା ମୃତ୍ୟୁ ୫ ହଜାରରୁ ଅଧିକ ଥିବ ବୋଲି ଆଜି ଆମେରିକାର ‘ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲ୍‌ଥ ମେଟ୍ରିକ୍‌ସ’ ସଂସ୍ଥା ଆକଳନ କରିଛି।

ସମ୍ବନ୍ଧିତ ଖବର