କୋଭିଡ୍‌-୧୯ ଉପଚାର, ଦେଶର ୩୦ ହସ୍ପିଟାଲ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା

‘ହୁ’ର ସାମୂହିକ ଉଦ୍ୟମରେ ସାମିଲ ହେବେ ୧୫୦୦ ରୋଗୀ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଏକ ପ୍ରମାଣସିଦ୍ଧ ଚିକିତ୍ସା ପଦ୍ଧତି କିମ୍ବା ଫଳପ୍ରଦ ପ୍ରତିଷେଧକ ଟିକା ବାହାର କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ବିଶ୍ବବ୍ୟାପୀ ପାରସ୍ପରିକ ସହଯୋଗରେ ପରୀକ୍ଷାନିରୀକ୍ଷା ଜାରି ରହିଛି। ଏହି କ୍ରମରେ ଭାରତର ବଛା ବଛା ୩୦ଟି ଡାକ୍ତରଖାନାରେ କୋଭିଡ୍–୧୯ର ଉପଚାର ପ୍ରକ୍ରିୟା ନିମନ୍ତେ ଆବଶ୍ୟକ ନୈଦାନିକ ପରୀକ୍ଷଣ କରାଯିବ ବୋଲି ଜଣାଯାଇଛିା ଏଥିରେ ପ୍ରାୟ ୧୫୦୦ ପାଖାପାଖି ରୋଗୀଙ୍କୁ ସାମିଲ କରାଯିବାକୁ ଥିବା ବେଳେ ଦେଶ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ପକ୍ଷରୁ ରୋଗୀ ପଞ୍ଜୀକରଣ ଆରମ୍ଭ ହୋଇଯାଇଛିା ପରୀକ୍ଷଣ ଆରମ୍ଭ ହେବାକୁ ଥିବା ସମ୍ଭାବ୍ୟ ଫଳପ୍ରଦ ଉପଚାରଗୁଡି଼କ ହେଲା ରେମ୍ଡେସିଭିର୍, ଲୋପିନାଭିର୍–ରିଟୋନାଭିର ମିଶ୍ର ଉପଯୋଗ, ହାଇଡ୍ରକ୍ସିକ୍ଲୋରୋକ୍ବିନ୍–ଲୋପିନାଭି ମିଶ୍ର ଉପଯୋଗ ଏବଂ ରିଟୋନାଭିର୍ ସହିତ ଇଣ୍ଟରଫେରନ୍ ବିଟା–୧ଏର ମିଶ୍ର ଉପଯୋଗା ପ୍ରାଥମିକ ଭାବେ ୧୫୦୦ ରୋଗୀଙ୍କ ଠାରେ ଏ ପ୍ରକାର ଚିକିତ୍ସା ପଦ୍ଧତିର ଫଳାଫଳ ନିର୍ଣ୍ଣୟ କରିବାକୁ ଥିବା ବେଳେ ଆବଶ୍ୟକ ପଡି଼ଲେ ଏହି ସଂଖ୍ୟା ମଧ୍ୟ ବଡ଼ାଯିବ ବୋଲି ‘ହୁ’ର ଭାରତୀୟ ସଂଯୋଜିକା ତଥା ଆଇସିଏମ୍ଆର୍ ଅଧୀନ ଜାତୀୟ ଏଡ୍‌ସ୍‌ ଗବେଷଣା ପ୍ରତିଷ୍ଠାନ (ଏନ୍ଏଆର୍ଆଇ)ର ମହାମାରୀ ଚିକିତ୍ସା ବିଜ୍ଞାନ ବିଭାଗ ମୁଖ୍ୟ ଡା. ଶୀଲା ଗଡ଼ବୋଲେ କହିଛନ୍ତିା ତେବେ ପରୀକ୍ଷଣ ବେଳେ କୌଣସି ସ୍ତରରେ କୌଣସି ବି ରୋଗୀଙ୍କଠାରେ ବିପରୀତ ପ୍ରତିକ୍ରିୟା ଦେଖାଗଲେ, ସେହିଠାରୁ ହିଁ ନୈଦାନିକ ପରୀକ୍ଷଣକୁ ବନ୍ଦ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତିା

ନିୟନ୍ତ୍ରଣ ପାଇଁ ୪-୫ ବର୍ଷ ଲାଗିଯିବ
କେବଳ ଟିକା ଉପରେ ନିର୍ଭର କରିହେବନି: ଡବ୍ଲ୍ୟୁଏଚ୍‌ଓ
ନୂଆଦିଲ୍ଲୀ: ସାରା ବିଶ୍ବ କରୋନା ସହ ଲଢ଼ୁଛି। ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ର କରୋନା ଯୋଗୁଁ ବ୍ୟାପକ ଭାବେ କ୍ଷତିଗ୍ରସ୍ତ। ଅନେକ ରାଷ୍ଟ୍ରରେ ଅର୍ଥନୀତି ଉପରେ ଗୁରୁତ୍ବ ଦେଇ ଲକ୍‌ଡାଉନ୍‌ କୋହଳ କରାଗଲାଣି। ତେବେ କରୋନାକୁ ଏତେ ସହଜରେ ନିୟନ୍ତ୍ରଣ କରିହେବନି। କ‌ରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ୪-୫ ବର୍ଷ ଲାଗିଯିବ ବୋଲି ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କହିଛି। କରୋନା ନିୟନ୍ତ୍ରଣ ପାଇଁ କେବଳ ଟିକା ଉପରେ ନିର୍ଭର କରିହେବନି। ଟିକା ପାଇଁ ଏବେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଉଦ୍ୟମ ଜାରି ରହିଛି। ଖାଲି ଟିକା ବାହାରିଗଲେ ହେବନି। ଆହୁରି ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ଡବ୍ଲ୍ୟୁଏଚ୍‌ଓର ଜଣେ ବୈଜ୍ଞାନିକ ସୌମ୍ୟା ବିଶ୍ବନାଥନ କହିଛନ୍ତି। ଏହି ଟିକାର ପାର୍ଶ୍ବ ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିବା ସବୁଠାରୁ ବଡ଼ ଚ୍ୟାଲେଂଜ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର