ଏକନାଥ ସିନ୍ଦେଙ୍କ କାର୍ଯ୍ୟକ୍ରମ ପରେ ଗୋମୂତ୍ର ସିଞ୍ଚିଲେ ଠାକ୍‌ରେଙ୍କ ସମର୍ଥକ

ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର କାର୍ଯ୍ୟକ୍ରମ ଶେଷ ହେବା ପରେ ଠାକ୍‌ରେଙ୍କ ସମର୍ଥକମାନେ ସୋମବାର ଦିନ ସେଠାରେ ଓ ସେ  ବିଡ଼କୀନ୍‌ ନଗରୀ ଦେଇ ଫେରିଥିବା ରାସ୍ତାରେ ଗୋମୂତ୍ର ସିଞ୍ଚନ କରିଛନ୍ତି।

ବିଡ଼କୀନ୍‌ ସହରରୁ ଉତ୍ତୋଳିତ ଉପରୋକ୍ତ ଦୃଶ୍ୟ ଥିବା ଗୋଟାଏ ଭିଡିଓ କ୍ଲିପ୍‌ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହାଇଚାଲିଛି। ଭିଡିଓରେ ଦେଖାଯାଉଛି, ଦଳେ ବ୍ୟକ୍ତି ବାଲ୍‌ତିରେ ଥିବା ଗୋମୂତ୍ରକୁ ନିମ ଡାଳିଆରେ ସିନ୍ଦେ ଯୋଗଦେଇଥିବା କାର୍ଯ୍ୟକ୍ରମ ସ୍ଥଳୀ ଓ ଫେରିଥିବା ରାସ୍ତାରେ ସିଞ୍ଚନ କରୁଛନ୍ତି। ତା’ସହ ସେମାନେ ଚିତ୍କାର କରି କହୁଛନ୍ତି: ୫୦ ଖୋକେ, ଏକ୍‌ଦୋମ୍‌ ଓକେ।

ସେମାନେ ଏକଥା କହିବାର ତାତ୍ପର୍ଯ୍ୟ ହେଉଛି, ଜଣକା ୫୦ କୋଟି ଟଙ୍କା ପାଇବେ ବୋଲି ପ୍ରତିଶ୍ରୁତି ମିଳିବାରୁ ମହାରାଷ୍ଟ୍ର ଶିବସେନା ବିଧାୟକମାନେ ଶିବସେନାର ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ଏହା ହେଉଛି ସିନ୍ଦେ ଶିବିର ବିଧାୟକମାନଙ୍କ ପ୍ରତି ପ୍ରକାରା‌ନ୍ତରେ ବିଦ୍ରୂପ।

Image Courtesy of NDTV

ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ଦିନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଔରଙ୍ଗାବାଦ ଜିଲ୍ଲାକୁ ଆସିଥିଲେ। ଜିଲ୍ଲାର ବିଡ଼କୀନ୍‌ ନଗରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସିନ୍ଦେ ଫେରିଯିବା ପରେ ନଗରୀର ଶିବସୈନିକମାନେ ଗୋମୂତ୍ର ସିଞ୍ଚନ କରି ସେ ସ୍ଥାନକୁ ଶୋଧନ କରିଥିଲେ।

କିନ୍ତୁ, ସିନ୍ଦେ ଶିବିର ଉପରୋକ୍ତ ପ୍ରତିବାଦ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।

ଘଟଣା ସଂକ୍ରାନ୍ତରେ କହିଲା ବେଳେ ଶିବସେନା କର୍ମୀମାନେ କହିଛନ୍ତି ଯେ, ଶିବସେନାର ଦିବଂଗତ ମୁଖ୍ୟ ବାଲାସାହେ ଠାକ୍‌ରେଙ୍କ ଯୋଗୁଁ ଏ‌ମାନେ ମଣିଷ ହୋଇଛନ୍ତି। ଶେଷରେ ସେ ଶିବସେନା ନେତୃତ୍ବକୁ ଦଗା ଦେଇଛନ୍ତି। ସେ ଏହି ନଗରୀରୁ ଯିବା ପରେ ଆମେ ଗୋମୂତ୍ର ସିଞ୍ଚନ କରି ପବିତ୍ର ହେଉଛୁ।

ସମ୍ବନ୍ଧିତ ଖବର