ସାମୁଦ୍ରିକ ବାତ୍ୟା ପାଲଟିଲା ‘ତୌତେ’: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ସମ୍ପ୍ରତି ଲକ୍ଷଦ୍ବୀପ ଉପରେ ଥିବା ସାମୁଦ୍ରିକ ବତାସ ‘ତୌତେ’ ଶନିବାର ସକାଳେ ସାମୁଦ୍ରିକ ବାତ୍ୟା ପାଲଟି ଯାଇଥିବା କଥା ଭାରତୀୟ ପାଣିପାଗ ବିଭାଗ କରିଥିବା ଟୁଇଟ୍‌ରୁ ଜଣାପଡ଼ିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଉଗ୍ରରୂପ ଧାରଣ କରି ମଙ୍ଗଳବାର ସୁଦ୍ଧା ଗୁଜରାଟ ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି।

ଟଇଟ୍‌ରେ ଭାରତୀୟ ପାଣିପାଗ ବିଭାଗ ଲେଖିଛି, ଗଭୀର ଅବପାତ ସାମୁଦ୍ରିକ ବାତ୍ୟା ‘ତୌତେ’ରେ ରୂପାନ୍ତରିତ ହୋଇ ଲକ୍ଷଦ୍ବୀପ ଅଞ୍ଚଳ ଏବଂ ତା’ ସନ୍ନିକଟ ଦକ୍ଷିଣପୂର୍ବ ଏବଂ ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି। ଦକ୍ଷିଣ ଗୁଜରାଟ ଓ ଡିୟୁ ଉପକୂଳରେ ପାଇଁ ସତର୍କ ସୂଚନା ଜାରି।

Image Courtesy of India.com

ଭାରତର ପଶ୍ଚିମ ଉପକୂଳରେ ‘ତୌତେ’ ସ୍ଥଳଭାଗରେ ପ୍ରବେଶ କରିବାକୁ ଥିବାରୁ ରାଜ୍ୟ ପ୍ରଶାସନକୁ ସହଯୋଗ କରିବ ବୋଲି ଭାରତୀୟ ନୌସେନା ପ୍ରତିଶ୍ରୁତି ଦେଇଛି। ଟୁଇଟ୍‌ କରି ନୌସେନାର ମୁଖପାତ୍ର କହିଛନ୍ତି, ସାମୁଦ୍ରିକ ବାତ୍ୟା ‘ତୌତେ’ ଭାରତର ପଶ୍ଚିମ ଉପକୂଳ ଦେଇ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟ ପ୍ରଶାସନକୁ ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ଭାରତୀୟ ନୌସେନାର ଜାହାଜ, ବିମାନ, ହେଲିକପ୍ଟର୍‌, ‘ଡାଇଭିଙ୍ଗ୍ ଆଣ୍ଡ୍‌ ଡିଜାଷ୍ଟର୍‌ ରିଲିଫ୍‌ ଟିମ୍‌’ ସଜାଗ ଅଛନ୍ତି।

ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ୫୦ଜଣିଆ ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଓ ମହାରାଷ୍ଟ୍ର ପ୍ରଭୃତି ୫ଟି ରାଜ୍ୟରେ ପ୍ରସ୍ତୁତ ରହିଛନ୍ତି।

ମେ ୧୮ ତାରିଖ ସକାଳେ ‘ତୌତେ’ ଗୁଜରାଟ ଉପକୂଳରେ ପହଞ୍ଚିବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ଟୁଇଟ୍‌ କରି ସୂଚନା ଦେଇଥିଲା।

ସୂଚନାଯୋଗ୍ୟ, ମାଡ଼ି ଆସୁଥିବା ସାମୁଦ୍ରିକ ବାତ୍ୟା ‘ତୌତେ’ର ନାମକରଣ କରିଛି ମିଆଁମାର। ବର୍ମୀୟ ଭାଷାରେ ‘ତୌତେ’ର ଅର୍ଥ ଏକ ଜାତୀୟ ଝିଟିପିଟି।

ସମ୍ବନ୍ଧିତ ଖବର