ସଂକ୍ରମଣର ସବୁଠୁ ଭୟଙ୍କର ସପ୍ତାହ: ୩ ଲକ୍ଷ ୭୦ ହଜାର ମାମଲା, ୫,୩୪୫ ମୃତ୍ୟୁ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୫୨ ହଜାର ୯୭୨ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଲଗାତାର ୫ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୫୦ ହଜାରରୁ ଅଧିକ ରହୁଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧୮ ଲକ୍ଷ ୩ ହଜାର ୬୯୫ରେ ପହଞ୍ଚିଛି। ତେବେ ଗତ ସପ୍ତାହକୁ ସଂକ୍ରମଣର ସବୁଠୁ ଭୟଙ୍କର ସପ୍ତାହ ବୋଲି କୁହାଯାଉଛି। ସପ୍ତାହକରେ ଭାରତରେ ୩ ଲକ୍ଷ ୭୦ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ପୂର୍ବ ସପ୍ତାହର ଗଣନାଠାରୁ ଗତ ସପ୍ତାହରେ ସଂକ୍ରମଣ ମାମଲା ୧୬ ପ୍ରତିଶତ ଅଧିକ ରହିଛି। ଏହି ସପ୍ତାହରେ ମଧ୍ୟ ୫ ହଜାର ୩୪୫ ଜଣଙ୍କ ମୃତ୍ୟୁ ହୋଇଛି। ଗତ ସପ୍ତାହରେ ମହାରାଷ୍ଟ୍ର ସର୍ବାଧିକ ୬୫ ହଜାର ୪୨୯ ଟି ମାମଲା ଯୋଡ଼ିଥିବା‌େବଳେ ଆନ୍ଧ୍ରପ୍ରଦେଶ ପ୍ରାୟ ୬୨ ହଜାର ୪୬୬ ମାମଲା ଯୋଡ଼ିଛି। ଦେଶରେ ମୃତ୍ୟୁସଂଖ୍ୟା ୩୮ ହଜାର ୧୩୫କୁ ବୃଦ୍ଧି ପାଇଛି। ୫ ଲକ୍ଷ ୭୯ ହଜାର ୩୫୭ ସକ୍ରିୟ ମାମଲା ରହିଛି। ଅନ୍ୟପକ୍ଷେ ଆରୋଗ୍ୟ ହାର ୧୧ ଲକ୍ଷ ୮୬ ହଜାର ୨୦୩କୁ ବୃଦ୍ଧି ପାଇଛି। ଦେଶରେ ଆରୋଗ୍ୟ ହାର ୬୫.୪୪ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁହାର ୨.୧୩ ପ୍ରତିଶତକୁ କମିଯାଇଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ୨ କୋଟି କୋଭିଡ୍‌ ଟେଷ୍ଟ୍‌ ସରିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ବିହାର ଦେଶରେ ନୂଆ କୋଭିଡ୍‌ ହଟ୍‌ସ୍ପଟ୍‌ ପାଲଟିଛି।

ସମ୍ବନ୍ଧିତ ଖବର